ନୂଆଦିଲ୍ଲୀ,୧୪ା୩: ଏଲ୍ପିଜି ସଙ୍କଟକୁ ନେଇ ବିରୋଧୀ ଏମ୍ପିମାନେ ଶୁକ୍ରବାର ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ୍ ପୁରୀଙ୍କଠାରୁ ଜବାବ ମାଗିଛନ୍ତି। ପ୍ରଥମେ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏମ୍ପିମାନେ ସଂସଦ ଭବନ ବାହାରେ ପୋଷ୍ଟର ଧରି ଓ ଏଲ୍ପିଜି ସଙ୍କଟ ସ୍ଲୋଗାନ ଦେଇ ବିକ୍ଷୋଭ ଆରମ୍ଭ କରିଥିବାବେଳେ ଗ୍ୟାସ୍ ସିଲିଣ୍ଡର ଯାଉଛି କୁଆଡ଼େ ବୋଲି ପ୍ରଶ୍ନ କରିଥିଲେ। ବିକ୍ଷୋଭରେ କଂଗ୍ରେସ ସମେତ ଇଣ୍ଡିଆ ବ୍ଲକ୍ର ସହଯୋଗୀ ଦଳଗୁଡ଼ିକର ସାଂସଦମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଗ୍ୟାସ୍ ସିଲିଣ୍ଡର ନେଇ ଉଭାନ ହୋଇଯାଇଥିବା ଓ ଆତ୍ମସମର୍ପଣ କରିଥିବା ସେମାନେ ଅଭିଯୋଗ କରିଥିଲେ।
ଦେଶର ବିଭିନ୍ନ ଭାଗରେ ଏଲ୍ପିଜି ଅଭାବ ଅଭିଯୋଗ ହେଉଥିବାବେଳେ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ ବିରୋଧୀ ଦାବି କରିଥିଲେ। ଅନ୍ୟପକ୍ଷରେ ଶାସକ ମେଣ୍ଟର ନେତାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମର୍ଥନ ଦେବା ସହ ଏଲ୍ପିଜି ପ୍ରସଙ୍ଗରେ ବିରୋଧୀ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି।
ରନ୍ଧନ ଗ୍ୟାସ୍ର ଅତ୍ୟଧିକ ଅଭାବ ଦେଖାଦେଇଥିବାରୁ ଲୋକେ ଆତଙ୍କିତ ବୋଲି ଟିଏମ୍ସି ସାଂସଦ ମହୁଆ ମୋଇତ୍ର ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟ ଡିଷ୍ଟ୍ରିବ୍ୟୁଟରଙ୍କ ସିଷ୍ଟମ୍ କ୍ରାସ୍ ଯୋଗୁ ଏଲ୍ପିଜି ବୁକିଂ ହୋଇପାରୁ ନାହିଁ। ଶତାଧିକ ଲୋକ ସିଲିଣ୍ଡର ବୁକିଂ ପାଇଁ ଧାଡ଼ିରେ ଅନେକ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷାରେ ରହୁଛନ୍ତି। ସେପଟେ ଏଲ୍ପିଜିର ଅଭାବ ନାହିଁ, ଅଢ଼େଇ ଦିନ ମଧ୍ୟରେ ସିଲିଣ୍ଡର ମିଳିଯିବ ବୋଲି ସରକାର ପ୍ରତିଶ୍ରୁତି ଦେଉଛନ୍ତି। ତେବେ ବୁକିଂର ଅଢ଼େଇ ଦିନ ପରେ ଲୋକେ ସିଲିଣ୍ଡର ପାଉଛନ୍ତି କି ନାହିଁ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନେ ଯାଇ ତଦାରଖ କରନ୍ତୁ ବୋଲି ମହୁଆ ଚ୍ୟାଲେଞ୍ଜ କରିଛନ୍ତି। ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଲାଗୁ କରିବା ସହ ଏଲ୍ପିଜି ପାଇବାର ୨୫ ଦିନ ପରେ ଆଉ ଏକ ସିଲିଣ୍ଡର ବୁକ୍ କରାଯାଇପାରିବ ବୋଲି କହୁଛନ୍ତି। ଏସବୁ ମିଛ। ପ୍ରଧାନମନ୍ତ୍ରୀ ଗତ ୫ ଦିନ ହେଲା ପାର୍ଲାମେଣ୍ଟକୁ ଆସୁନାହାନ୍ତି। ଏହା ବଦଳରେ ସେ ଭୋଟ ପ୍ରଚାର ପାଇଁ ନିର୍ବାଚନ ମେଶିନ୍ ପାଲଟିଛନ୍ତି, ଯାହାକି ଲଜ୍ଜାର ବିଷୟ ବୋଲି ମହୁଆ କହିଛନ୍ତି।
ପଶ୍ଚିମ ଏସିଆ ସଙ୍କଟ ଓ ଭାରତ ଉପରେ ଏହାର ପ୍ରଭାବ ପ୍ରସଙ୍ଗରେ ସବିଶେଷ ଆଲୋଚନା ପାଇଁ ବିରୋଧୀ ଦାବିକରି ଆସୁଛନ୍ତି। ଲୋକେ ଭୟଭୀତ ହୁଅନ୍ତୁ ନାହିଁ, ସର୍ବସାଧାରଣ ସ୍ବାର୍ଥର ସୁରକ୍ଷା ହେବ ବୋଲି ପ୍ରଧାନମନ୍ତ୍ରୀ ବୁଧବାର ପ୍ରତିଶ୍ରୁତି ଦେଇଥିଲେ। ଏଲ୍ପିଜି ସଙ୍କଟର ସମାଧାନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ହେଲେ ବ୍ୟବସାୟିକ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶର ହୋଟେଲ ସେକ୍ଟର ପଙ୍ଗୁ ହୋଇଯାଇଥିବା ବିରୋଧୀ ଏମ୍ପିମାନେ ଅଭିଯୋଗା କରିଛନ୍ତି।