ନାକଟିଦେଉଳ,୨୪ା୧(ବୈକୁଣ୍ଠନାଥ ସାହୁ): ଦୀର୍ଘ ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ। ହେଲେ ଉଭୟଙ୍କ ବାହା ଘରେ ବାଧକ ସାଜିଥିଲେ ଉଭୟଙ୍କ ପରିବାର ଲୋକେ। ତେବେ ସ୍ଥାନୀୟ ସରପଞ୍ଚଙ୍କ ଉଦ୍ୟମକ୍ରମେ ଶିବ ମନ୍ଦିରରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ଘଟଣା ଘଟିଛି ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅଧୀନ ପାଣିଗ୍ରାହୀପାଲି ଗ୍ରାମରେ। ଗ୍ରାମର ତୋଫାନ ରାଉଳ ଏବଂ ସନ୍ତୋଷିନୀ ପ୍ରଧାନ ଦୀର୍ଘବର୍ଷ ହେଲା ପରସ୍ପରକୁ ଭଲ ପାଇ ଆସୁଥିଲେ। ହେଲେ ଏଥିରେ ଉଭୟ ପରିବାରର ଲୋକେ ରାଜି ହେଉ ନ ଥିଲେ l
ସନ୍ତୋଷିନୀଙ୍କ ପରିବାର ଲୋକେ ଗିରିଶ୍ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶୁଭେନ୍ଦ୍ର ପ୍ରଧାନଙ୍କୁ ଘଟଣାରେ ହସ୍ତକ୍ଷେପ କରି ସମାଧାନ କରିବାକୁ ଅନୁରୋଧ କରିଥିଲେ l ସରପଞ୍ଚ ପ୍ରଧାନ ଉଭୟ ପରିବାରକୁ ଗିରିଶଚନ୍ଦ୍ରପୁର ଶିବ ମନ୍ଦିର ପ୍ରାଙ୍ଗଣକୁ ଡକାଇ ଆଲୋଚନା କରିଥିଲେ। ବୁଝାଶୁଝା ପରେ ଶେଷରେ ପୁଅ ଝିଅଙ୍କୁ ବାହାଘର କରିବାକୁ ଉଭୟ ପରିବାର ରାଜି ହୋଇଥିଲେ। ଶିବ ମନ୍ଦିରରେ ପୂଜକଙ୍କ ମନ୍ତ୍ର ପାଠରେ ତୋଫାନ ଏବଂ ସନ୍ତୋଷିନୀ ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ। ତୋଫାନ ସନ୍ତୋଷିନୀଙ୍କ ହାତରେ ଶଙ୍ଖା ଏବଂ ମଥାରେ ସିନ୍ଦୂର ଦେଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ l ଏହାପରେ ସ୍ବାମୀ ସହିତ ଶାଶୁ ଘରକୁ ଚାଲି ଯାଇଥିଲେ ପତ୍ନୀ ସନ୍ତୋଷିନୀ l ମନ୍ଦିରରେ ଏହି ବିବାହ କାର୍ଯ୍ୟକ୍ରମ ସମୟରେ ସରପଞ୍ଚ ଶୁଭେନ୍ଦ୍ର ପ୍ରଧାନଙ୍କ ସମେତ ଉଭୟ ପରିବାରର ସଦସ୍ୟ, ମନ୍ଦିର କମିଟି ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।