ଭୁବନେଶ୍ୱର,୭/୨ (ସୌମ୍ୟରଞ୍ଜନ ରାଉତ):ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍ ଦିନଟିଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ, ହେଲେ ପ୍ରେମୀମାନଙ୍କ ପାଇଁ ପ୍ରତୀକ୍ଷାର ଦିନ। ବର୍ଷକର ପ୍ରତୀକ୍ଷା ପରେ ପୁଣି ଆସୁଛି ସେହିଦିନ। ଇତିମଧ୍ୟରେ ଶନିବାର ରୋଜ୍ ଡେ’ରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ପ୍ରେମର ମାସ ଫେବୃଆରୀରେ ପ୍ରେମର ସପ୍ତାହକୁ ଅଭୁଲା ଓ ସ୍ମରଣୀୟ କରିବାକୁ ଲାଗିପଡିଛନ୍ତି ଯୁବପିଢ଼ି। ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ଭାଲେଣ୍ଟାଇନ୍ସ ୱିକ୍ ବା ପ୍ରେମ ସପ୍ତାହ ଭାବେ ପାଳନ କରିବାକୁ ପ୍ରେମିକା ଓ ପ୍ରେମିକଙ୍କ ମନରେ କାହିଁ କେତେ ଉତ୍କଣ୍ଠା। ପ୍ରତ୍ୟେକ ମୁହୂର୍ତ୍ତ ଓ ଦିନକୁ ନିଜ ମନର ମଣିଷ ପାଇଁ କିଏ କେତେ ସ୍ପେଶାଲ କରିପାରିବ ସେଥିପାଇଁ ଚାଲିଛି ପ୍ରତିଯୋଗିତା।
ଡେ’ର ସପ୍ତାହ ପୂର୍ବରୁ ଗିଫ୍ଟ ସେଣ୍ଟର୍, ଶପିଂ ମଲ୍,ସିନେମା ହଲ୍ ସବୁ ସବୁଠି ଦେଖୁବାକୁ ମିଳୁଛି ପ୍ରେମୀଯୁଗଳଙ୍କ ଗହଳି। କିଏ ଗିଫ୍ଟ ଓ କାର୍ଡରେ କାମ ଚଳାଇ ଦେଉଛି ତ କିଏ ସରପ୍ରାଇଜ୍ ପ୍ଲାନିଂକରି ନିଜ ପ୍ରେମିକା ଓ ପ୍ରେମିକକୁ ଖୁସି କରିବାକୁ ଚାହୁଁଛି। ଏହାକୁ ଦୃଷ୍ଟିରେ ରଖି ସହରରେ ଥିବା ଫୁଲଦୋକାନ, ଗିଫ୍ଟ ସେଣ୍ଟର ଏବଂ ସିଜନ୍ ସେଣ୍ଟରଗୁଡ଼ିକ ମଧ୍ୟ ନିଜକୁ ପ୍ରସ୍ତୁତ କରିନେଇଛନ୍ତି। ଏହି ୭ଦିନ ଭିତରେ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା କରିଛନ୍ତି। ସୂର୍ଯ୍ୟନଗରସ୍ଥିତ ଜ୍ୟୋତି ଫ୍ଲୋରିଷ୍ଟ୍ର ଫୁଲ ବ୍ୟବସାୟୀ ନିମାଇଁ ଗୁରୁ କହିଛନ୍ତି, ଗୋଲାପର ଚାହିଦା ଅଧିକ ଥିବାରୁ ଫୁଲର ଦର ବଢ଼ିଯାଇଛି। ନାଲି ଗୋଲାପ ଗୋଟା ୪୦ରୁ ୫୦ଟଙ୍କା ରହିଥିବାବେଳେ ଅନ୍ୟ ରଙ୍ଗର ଗୋଲାପ ଦର ୫୦ ଟଙ୍କା ରହିଛି। ଅନ୍ୟପଟେ ଫୁଲ ତୋଡ଼ାଗୁଡିକ ୪୫୦ ଟଙ୍କାରୁ ଆରମ୍ଭ ହୋଇ ଭେରାଇଟ୍ ଅନୁଯାୟୀ ଦର ରହିଛି। ଏହି ଫୁଲଗୁଡ଼ିକ ବାଙ୍ଗାଲୋର ଓ ରାଇପୁରରୁ ଆସୁଛି ବୋଲି ବ୍ୟବସାୟୀ କହିଛନ୍ତି।
୭ଦିନ ସ୍ପେଶାଲ ଡେ’
ଭାଲେଣ୍ଟାଇନ୍ ୱିକ୍ର ୭ଦିନକୁ ସ୍ପେଶାଲ ଭାବେ ପାଳନ କରାଯିବ। ଶନିବାର ୭ ତାରିଖ ରୋଜ୍ ଡେ’, ୮ରେ ପ୍ରପୋଜ୍ ଡେ’, ୯ରେ ଚକୋଲେଟ୍ ଡେ’, ୧୦ରେ ଟେଡି ଡେ’, ୧୧ରେ ପ୍ରମିଜ୍ ଡେ’, ୧୨ରେ ହଗ୍ ଡେ’, ୧୩ରେ କିସ୍ ଡେ’ ଏବଂ ଶେଷରେ ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍ ବା ପ୍ରେମ ଦିବସଭାବେ ପାଳନ କରାଯାଇଥାଏ।