ପ୍ରେମ ବ୍ୟାପାର: ଯୁବତୀ ନେଲେ ଚରମ ନଷ୍ପତ୍ତି

ଭୁବନେଶ୍ୱର,୨୦ା୧୦(ସତ୍ୟଜିତ ରାଉତ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପ୍ରାଚୀବିହାର ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ଫ୍ୟାନ୍‌ରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତା ଜଣକ ହେଲେ କଟକ ଜିଲା ନିଆଳି ଅଞ୍ଚଳର ମୋନାଲିସା ମହାନ୍ତି(୨୨)। ପୋଲିସ ମୃତେଦହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ପ୍ରେମ ବ୍ୟାପରକୁ ନେଇ ମୋନାଲିସା ଏଭଳି ଚରମ ନିଷ୍ପତ୍ତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ମଞ୍ଚେଶ୍ୱର ଥାନା ଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ କହିଛନ୍ତି।

ସୂଚନା ଅନୁଯାୟୀ, ମୋନାଲିସା ପ୍ରାଚୀବହାରରେ କିଛିମାସ ହେବ ଭଡା ଘର ନେଇ ରହିବା ସହ ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲେ। ଏଥିସହ ସରକାରୀ ଚାକିରି ପାଇବାକୁ ପଢାପଢି ମଧ୍ୟ କରୁଥିଲେ। ତେବେ କିଛିଦିନ ହେବ ମୋନାଲିସା ଚିନ୍ତାରେ ରହୁଥିଲେ।

ବୁଧବାର ସାରେ ମୋନାଲିସ କବାଟ ବନ୍ଦ କରି ଦେଇଥିଲେ। ପାଖ ପଡ଼େଶୀ ଲୋକମାନେ ଯେତେ କହିବା ପରେ ମଧ୍ୟ ସେ କବାଟ ଖୋଲି ନ ଥିଲେ। ତେବେ ଝରକା ବାଟେ ଦେଖିବାକୁ ମୋନାଲିସା ଫ୍ୟାନ୍‌ରେ ଝୁଲିପଡି ଆତ୍ମହତ୍ୟା କରିଥିବା ଜଣାପଡିଥିଲା।

ଏନେଇ ମୋନାଲିସାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ଘରେ ପହଞ୍ଚିଥିଲା। ପରିବାର ଲୋକ ପହଞ୍ଚିବା ପରେ ପୋଲିସ କବାଟ ତାଡି ମୃତଦେହ ଜବତ କରିଥିଲା। ପୋଲିସ ଉକ୍ତ ଘରୁ ମୋନାଲିସାଙ୍କ ମୋବାଇଲ ଆଦି ଜବତ କରି ତଦନ୍ତ କରୁଛି। ପରିବାର ଲୋକଙ୍କ ବୟାନ ଅନୁଯାୟୀ ମୋନାଲିସା ଜଣେ ଯୁବକଙ୍କ ପ୍ରେମ ସମ୍ପର୍କକୁ ନେଇ ଚିନ୍ତାରେ ଥିଲେ। ପୋଲିସ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ସିଡିଆର୍‌(କଲ୍‌ ଡିଟେଲ୍ସ ରିପୋର୍ଟ) ମଗାଇ ଯାଞ୍ଚ ଆରମ୍ଭ କରିଛି।

Dharitri – Odisha’s No.1 Odia Daily