ଏଟିଏମ୍‌ ଟଙ୍କା ଭର୍ତ୍ତି ଭ୍ୟାନ୍‌ରୁ ୨୪ ଲକ୍ଷ ଲୁଟ୍‌ ଘଟଣା: ମାଷ୍ଟରମାଇଣ୍ଡ ଅଟକ

ବ୍ରହ୍ମପୁର ଅଫିସ,୨୧ା୮: ବଡ଼ବଜାର ଥାନା ନିକଟ ଆକ୍ସିସ ବ୍ୟାଙ୍କ ନିକଟରୁ ଏଜିଏସ୍‌ କମ୍ପାନୀର ଏଟିଏମ୍‌ ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହେବାକୁ ଯାଉଛି। ସେହି ଗାଡ଼ିର ଚାଳକ ଆଶିଷ ଦିଘାଲ ହିଁ ଏହି ବହୁ ଚର୍ଚ୍ଚିତ ଲୁଟ୍‌ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ସୂଚନା ମିଳିଛି। ଆଶିଷ ନିଜେ ଅପହରଣ ନାଟକ କରିଥିଲେ ବୋଲି ଜଣାପଡ଼ିଛି। ପୋଲିସ ପ୍ରଥମ ଦିନରୁ ହିଁ ଆଶିଷଙ୍କ ଉପରେ ସନ୍ଦେହ କରି ଆସୁଥିଲା। ୩ ଦିନ ହେବ ଆଶିଷକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଶନିବାର ତାଙ୍କର ୩ ସହଯୋଗୀଙ୍କୁ ବାହାର ଜିଲାରୁ ପୋଲିସ ଉଠାଇ ଆଣିଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ଜବତ କରାଯାଇଛି। ଆଜକୁ ୩ ଦିନ ପୂର୍ବେ ୨୪ ଲକ୍ଷ ଟଙ୍କା ଥିବା କମ୍ପାନୀର ଗାଡ଼ିକୁ ବଡ଼ବଜାର ଆକ୍ସିସ ବ୍ୟାଙ୍କ ନିକଟରୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ପରେ ପୋଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ୍‌ ସହ ଅଚେତ ଅବସ୍ଥାରେ ଚାଳକ ଆଶିଷକୁ ଉଦ୍ଧାର କରିଥିଲା।

Share