ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ ବିଧେୟକକୁ ଏହି ସମୟରେ ଗୃହୀତ କରାଇବା ପାଇଁ ସରକାର ଉଦ୍ୟମ କରିବେ। ମହିଳା ସଂରକ୍ଷଣ ଆଇନକୁ ଯଥାଶୀଘ୍ର ସମ୍ଭବ କାର୍ଯ୍ୟକାରୀ କରାଇବା ପାଇଁ ଆସନ ସଂଖ୍ୟା ବଢ଼ାଯାଉଥିବା ସୂତ୍ରରୁ ଜଣାପଡ଼ିଛି। ତେବେ ୪ ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହଁାମୁହଁି ହୋଇପାରନ୍ତି।
ସରକାର ମହିଳା ସଂରକ୍ଷଣ ବିଲ୍‌ ବା ନାରୀ ବନ୍ଦନ ଅଧିନିୟମ, ୨୦୨୩ରେ ସଂଶୋଧନ ସମେତ କେତେକ ବିଲ୍‌କୁ ଗୃହୀତ କରାଇବା ପାଇଁ ଆଗ୍ରହୀ। ତେବେ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ରାଜନୈତିକ ଫାଇଦା ହାସଲ ପାଇଁ ଅତି ତରବରିଆ ଭାବେ ସଂଶୋଧନଗୁଡ଼ିକୁ ପାରିତ କରାଇବାକୁ ଉଦ୍ୟମ ଚଳାଇଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ ପ୍ରସ୍ତାବିତ ଆଇନଗୁଡ଼ିକ ପାଇଁ ଏହି ଅଧିବେଶନ ୩ ଦିନ ଚାଲିବ। ଏନେଇ ସରକାରଙ୍କ ପକ୍ଷରୁ ବିରୋଧୀ ଦଳଗୁଡ଼ିକୁ ଜଣାଇ ଦିଆଯାଇଛି। ପ୍ରଥମେ ମହିଳା ସଂରକ୍ଷଣ ବିଧେୟକ ଆଗତ କରାଯିବ। ରାଜ୍ୟ ସଭାରେ ଗୁରୁବାର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ସମ୍ବୋଧନ ବେଳେ ଏ ସଂକ୍ରାନ୍ତରେ ସଙ୍କେତ ଦେଇଥିଲେ। ତେବେ କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ, ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏପ୍ରିଲ ୨୯ରେ ଏକ ସର୍ବଦଳୀୟ ବୈଠକ କରାଯାଉ ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି। ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଆଦର୍ଶ ଆଚରଣ ବିଧି ଲାଗୁହେବା ସତ୍ତ୍ୱେ ସରକାର ଏହି ବିଲ୍‌ଗୁଡ଼ିକୁ ଆଣୁଥିବା ସେ ଅଭିଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 

Share