ଇସଲାମବାଦ,୨।୫: ପାକିସ୍ତାନରେ ଲକ୍ଡାଉନ ଘୋଷଣା ହୋଇଛି। ପାକ୍ର ଖୈବର ପଖତୁନଖୱା ପ୍ରଦେଶର ଖୈବର ଜିଲାରେ ମଙ୍କିପକ୍ସ ଭୂତାଣୁ ସଂକ୍ରମଣର ଏକ ମାମଲା ଚିହ୍ନଟ ହେବା ପରେ ୧୨ ଦିନିଆ ସ୍ମାର୍ଟ ଲକଡାଉନ ଘୋଷଣା କରିଛି। ଏହି ନିଷ୍ପତ୍ତି ଭୂତାଣୁର ସମ୍ଭାବ୍ୟ ସଂକ୍ରମଣକୁ ରୋକିବା ପାଇଁ ନିଆଯାଇଛି।
ଖୈବର ଜିଲାର ଉପାୟୁକ୍ତ କ୍ୟାପଟେନ (ଅବ.) ବିଲାଲ ଶାହିଦ ରାଓଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ଲକଡାଉନ ସମୟରେ ପମ୍ପ ହାଉସ ଘୁଣ୍ଡି ଅଞ୍ଚଳର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ ସିଲ କରାଯାଇଛି। କେବଳ ଜରୁରୀ ସେବା ଯଥା ଖାଦ୍ୟ ଦୋକାନ, ଔଷଧ ଦୋକାନ, ସାଧାରଣ ଦୋକାନ ଏବଂ ଜରୁରୀକାଳୀନ ସେବାଗୁଡିକ ଖୋଲା ରହିବ। ଅନ୍ୟ ସମସ୍ତ ବ୍ୟବସାୟ ଓ ଗତିବିଧି ଏହି ସମୟରେ ବନ୍ଦ ରହିବ।
ସୂଚନା ଅନୁଯାୟୀ, ଏହି ମାମଲା ଖୈବର ଜିଲ୍ଲାରେ ଚିହ୍ନଟ ହୋଇଥିବା ନବମ ମଙ୍କିପକ୍ସ ମାମଲା। ଗତ ତିନି ବର୍ଷରେ ଖୈବର ପଖତୁନଖୱାରେ ମୋଟ ୧୭ଟି ମାମଲା ରିପୋର୍ଟ ହୋଇଛି, ଯେଉଁମାନେ ଅଧିକାଂଶ ସଂଯୁକ୍ତ ଆରବ ଏମିରେଟ୍ସ କିମ୍ବା ସାଉଦି ଆରବରୁ ଫେରିଥିଲେ।
ସ୍ବାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ସତର୍କ ରହିବାକୁ ଏବଂ କୌଣସି ସନ୍ଦେହଜନକ ଲକ୍ଷଣ ଦେଖାଦେଲେ ତୁରନ୍ତ ରିପୋର୍ଟ କରିବାକୁ ଅନୁରୋଧ କରିଛି। ଏହା ସହ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଗତ ଅଗଷ୍ଟ ୨୦୨୪ରେ ମଙ୍କିପକ୍ସକୁ ବିଶ୍ୱବ୍ୟାପୀ ସୱାସ୍ଥ୍ୟ ଜରୁରୀ ଅବସ୍ଥା ଘୋଷଣା କରିଥିଲା, ଯାହା ଏହି ରୋଗର ଗମ୍ଭୀରତାକୁ ସୂଚାଇଛି। ପାକିସ୍ତାନ ସରକାର ବିମାନବନ୍ଦର ଓ ସୀମାନ୍ତ ଅଞ୍ଚଳରେ ସ୍କ୍ରିନିଂ ବ୍ୟବସ୍ଥାକୁ କଡାକଡି କରିଛନ୍ତି ଏବଂ ଜନସାଧାରଣଙ୍କୁ ଆତଙ୍କିତ ନହେବା ପାଇଁ ଅପିଲ କରିଛନ୍ତି।