ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର ଡବେରୀ ସମେତ ବାଲୁବାଙ୍ଗା, ବ୍ରାହାସାଲାକା ଆଦି ଗ୍ରାମର ଶତାଧିକ ମହିଳା, ପୁରୁଷ ଏକତ୍ରିତ ହୋଇ ବୈଠକ କରିଥିଲେ। ପରେ ସେଠାରୁ ପ୍ରାୟ ୩ କିମି ଦାରିଙ୍ଗବାଡି ଥାନା ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଓ ଡବେରୀ ଅଞ୍ଚଳକୁ ନିଶାମୁକ୍ତ କରାଯିବା ପାଇଁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏଥିସହ ପୋଲିସ ପାଟ୍ରୋଲିଂକୁ କଡାକଡି କରାଯିବାକୁ ନିବେଦନ କରିଥିଲେ। ଏଥିରେ ଡବେରୀ ଅଞ୍ଚଳବାସୀଙ୍କ ନିଶାମୁକ୍ତ ଅଞ୍ଚଳପାଇଁ ପ୍ରୟାସକୁ ପ୍ରଂଶସା କରିବା ସହ ପୂର୍ବରୁ ଡବେରୀ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ଲକ୍ଷାଧିକ ତାଙ୍କର ମହୁଲ ପୋଚକୁ ନଷ୍ଟ କରିଥିଲେ ବୋଲି କହିବା ସହ ଆଗକୁ ଆହୁରି ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମଦ ବ୍ୟବସାୟକୁ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ବିକ୍ଷୋଭକାରୀମାନେ ଶୋଭାଯାତ୍ରାରେ ଥାନାରୁ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ମଦ ଦରକାର ନାହିଁ ତାଙ୍କୁ ପିଇବାପାଣିର ଆବଶ୍ୟକତା ରହିଥିବା ଦାବି ଜଣାଇ କିଛି ସମୟ ଧାରଣାରେ ବସିଥିଲେ। ପରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ କ୍ଷୀରୋଦ ରାଉତ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ମଙ୍ଗଳବାର ସେ ଡବେରୀ ଅଞ୍ଚଳରେ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେବାପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ଓହରିବା ସହ ଏକ ଦାବିପତ୍ର ପ୍ରଦାନ କରି ସେଠାରୁ ଫେରିଥିଲେ।

 

Dharitri – Odisha’s No.1 Odia Daily