ନନ୍ଦପୁର,୮।୨ (ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସୁଭଦ୍ରା ଶକ୍ତି କେନ୍ଦ୍ରରେ ଶୁକ୍ରବାର ମିଶନଶକ୍ତି ବିଭାଗ ତରଫରୁ ବ୍ଲକ ସ୍ତରୀୟ ସ୍ବୟଂ ସହାୟକ ଗୋଷ୍ଠୀ ଋଣମେଳା ବିଡିଓ ଦୁର୍ଗା ପ୍ରସାଦ ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ, ସିଡ଼ିଓ ବେଣୁଧର ଶବର ଯୋଗଦେଇ ବ୍ଲକ ଅଧୀନ ୨୩ ପଞ୍ଚାୟତର ୧୬୩ ମହିଳା ଗୋଷ୍ଠୀଙ୍କୁ ୮ କୋଟି ୬୯ଲକ୍ଷ ୭୬ହଜାର ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି। ଋଣ ନେଇ କୃଷି, ପଶୁପାଳନ, ବ୍ୟବସାୟ କରି ଉଦ୍ୟୋଗୀ ହେବା ସହ ନିଜେ ସ୍ବାବଲମ୍ବୀ ହୋଇ ପରିବାର ଓ ଗ୍ରାମବାସୀଙ୍କ ପାଇଁ ପ୍ରେରଣା ସାଜନ୍ତୁ ବୋଲି ଜିଲାପାଳ ମହିଳା ଗୋଷ୍ଠୀଙ୍କୁ ପରାମର୍ଶ ଦେଇଛନ୍ତି। ଋଣମେଳା ଅବସରରେ ଆଇଟିଡିଏ ତରଫରୁ ଗୋଲୁର ଶିବା ଭିଡିବିକେ ଓ ଲକ୍ଷ୍ମୀପୁର କୁଟିଙ୍ଗା ଭିଡିବିକେ ଗୋଷ୍ଠୀଙ୍କୁ ହଳଦୀ ପ୍ରକ୍ରିୟାକରଣ ପାଇଁ ଅର୍ଗାନିକ ପ୍ରମାଣ ପତ୍ର ଜିଲାପାଳ ପ୍ରଦାନ କରିଥିଲେ। ବିଡିଓ ଦୋରାଙ୍କ ସୂଚନା ମୁତାବକ ନନ୍ଦପୁର ବ୍ଲକରେ କାର୍ଯ୍ୟରତ ଷ୍ଟେଟବ୍ୟାଙ୍କ ବାଲଡ଼ା ତରଫରୁ ୪୫ ମହିଳା ଗୋଷ୍ଠୀଙ୍କୁ ୪ କୋଟି ୨୨ ଲକ୍ଷ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପାଡୁଆ ୭୦ ଗୋଷ୍ଠୀଙ୍କୁ ୨ କୋଟି ୫୮ ଲକ୍ଷ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ନନ୍ଦପୁର ୨୬ ଗୋଷ୍ଠୀଙ୍କୁ ୧ କୋଟି ୧ଲକ୍ଷ ୨୬ ହଜାର, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଜୋଲାପୁଟ ୨୦ ଗୋଷ୍ଠୀଙ୍କୁ ୭୮ ଲକ୍ଷ ୫୦ ହଜାର ଟଙ୍କା ଓ ଆଇସିଆଇସିଆଇ ବ୍ୟାଙ୍କ ନନ୍ଦପୁର ତରଫରୁ ୨ ଗୋଷ୍ଠୀଙ୍କୁ ୧୦ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ନନ୍ଦପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ କାର୍ତୁଲ, ସିଡ଼ିପିଓ ମିନତିବାଳା ପଟ୍ଟନାୟକ, ଆଇଟିଡିଏ ସିଡ଼ିସି ଏସ ଏନ ପ୍ରଧାନ, ଏମପି ପ୍ରତିନିଧି ଗୋପାଳ ମାଟାମ, ବିଧାୟକ ପ୍ରତିନିଧି କାମେଶ କାମୁଡି, ବ୍ଲକ ଭାଜପା ନେତା ଏସକେ ଗଫୁର, ଜୟରାମ ଭୋଇ, ହରିହର ବେହେରା, ରବୀନ୍ଦ୍ର ରାମସିଂ, ରମେଶ ଖେମୁଣ୍ଡୁଙ୍କ ସମେତ ୧୦୦୦ରୁ ଅଧିକ ମହିଳା ଗୋଷ୍ଠୀର ସଦସ୍ୟ ଓ କାର୍ଯ୍ୟରତ ଏମବିକେ, ବିଆରପିମାନେ ଉପସ୍ଥିତ ଥିଲେ। ବ୍ଲକ ମିଶନଶକ୍ତି ବିଏଲସି ବିଚିତ୍ର ରାଉତ ଓ ବିପିସି ଶ୍ରୀଧର ଜାନି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହିଳା ଗୋଷ୍ଠୀ ସଦସ୍ୟମାନେ ବିଭିନ୍ନ ସରକାରୀ ଯୋଜନା ଓ ସ୍ବାବଲମ୍ବୀ ହେବାର ଉପାୟ ସମ୍ପର୍କିତ ସଚେତନାବର୍ତ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।