ଏସ୍‌ସିବିରେ ଆଖିବୁଜିଲେ ଯକୃତ ପ୍ରତିରୋପିତ ମାନସ

କଟକ,୧୩ା୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦ୍ୱିତୀୟ ଯକୃତ ପ୍ରତିରୋପିତ ନୟାଗଡ଼ ଅଞ୍ଚଳର ମାନସ ମୁଦୁଲି (୩୯) ବୁଧବାର ଆଖି ବୁଜିଛନ୍ତି। ସେ ଗତ ଜାନୁଆରୀ ୨୨ ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ଏସ୍‌ସିବି ମେଡିକାଲର ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ଏହାପରେ ତାଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ମେଡିକାଲର ଅତିରିକ୍ତ ଅଧୀକ୍ଷକ ତଥା ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ର ନୋଡାଲ ଅଫିସର ପ୍ରଫେସର ଡା. ମନୋଜ ପଟ୍ଟନାୟକ କହିଛନ୍ତି, ଶରୀର ସଂକ୍ରମିତ ହେବାରୁ ମାନସ ଅସୁସ୍ଥ ହୋଇଥିଲେ। ଏପରି କି ପୂର୍ବରୁ ଥରେ ସେ ଏଭଳି ଅସୁସ୍ଥ ହେବାରୁ ତାଙ୍କର ଚିକିତ୍ସା କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ପେଟରେ ପାଣି ଜମିବା, ଧଇଁସଇଁ ହେବାରୁ ସେ ଦ୍ୱିତୀୟଥର ସଂକ୍ରମିତ ହୋଇଥିଲେ। ସଂକ୍ରମଣ ବଢ଼ିବାରୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ମାନସ ଲିଭର ସିରୋସିସ ରୋଗରେ ୬ ବର୍ଷ ହେବ ପୀଡିତ ଥିଲେ। ୨୦୨୪ ସେପ୍ଟେମ୍ବର ୯ରେ ଏସ୍‌ସିବିରେ ତାଙ୍କର ଯକୃତ ପ୍ରତିରୋପଣ କରାଯାଇଥିଲା। ପତ୍ନୀ ଛବି ମୁଦୁଲିଙ୍କ ଯକୃତର ୫୫ ପ୍ରତିଶତ ଅଂଶ ମାନସଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଏହି ପ୍ରତିରୋପଣ କାର୍ଯ୍ୟରେ ହାଇଦ୍ରାବାଦ୍‌ସ୍ଥିତ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି (ଏଆଇଜି)ର ନିର୍ଦ୍ଦେଶକ ପି. ବାଲାଚନ୍ଦ୍ରନ ମେନନ୍‌ଙ୍କ ସମେତ ୪ ଜଣିଆ ଡାକ୍ତରୀ ଟିମ୍‌ ସହ ଏସ୍‌ସିବିର ଡାକ୍ତରୀ ଟିମ୍‌ ସାମିଲ ଥିଲେ। ହେଲେ ଇତିମଧ୍ୟରେ ମାନସଙ୍କ ଶରୀର ଦୁଇଥର ଅସୁସ୍ଥ ହେବାରୁ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ତେବେ ଏସ୍‌ସିବିରେ ଦ୍ୱିତୀୟ ଯକୃତ ପ୍ରତିରୋପଣ ପରେ ଏବେ ଏଦିଗରେ ଏକ ପ୍ରକାର ରୋକ୍‌ ଲାଗିଛି। ଏପରି କି ଏଆଇଜି ଟିମ୍‌ ପ୍ରାୟ ୫ ମାସ ହେବ ଏସ୍‌ସିବିକୁ ଆସୁ ନ ଥିବା ଏବଂ ପ୍ରତିରୋପିତ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁ ନ ଥିବା ଜଣାପଡିଛି। ଏ ସମ୍ପର୍କରେ ମେଡିକାଲର ଡା. ମନୋଜ କହିଛନ୍ତି, ଏଆଇଜି ଟିମ୍‌ ମେଡିକାଲ ନ ଆସି ଆଭାସୀ ମାଧ୍ୟମରେ ରୋଗୀଙ୍କ ସହ କଥା ହୋଇ ସମସ୍ୟା ବୁଝିଥାନ୍ତି। ଟିମ୍‌ର ଡାକ୍ତର ଯେକୌଣସି ଔଷଧ ଓ ଚିକିତ୍ସା କରିବାକୁ କହିଥାନ୍ତି ତାହାକୁ ଏସ୍‌ସିବିର ଡାକ୍ତର କରିଥାନ୍ତି। ଅନ୍ୟପଟେ ଟିମ୍‌ ଭାରତରେ ଉପସ୍ଥିତ ନ ଥିବା ଯୋଗୁ ଏସ୍‌ସିବି ଆସି ପାରୁ ନ ଥିବା ମନୋଜ କହିଛନ୍ତି।

Share