ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମ ଜଙ୍ଗଲ ରାସ୍ତା ରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ନିକଟରୁ ୪୦ ଲିଟର ଅପମିଶ୍ରିତ ଦେଶୀମଦ ଜବତ କରାଯାଇଛି। ଯୁବକ ଜଣକ ହେଲେ ଗଞ୍ଜାମ ଜିଲା ଜରଡ଼ା ଥାନା ତେନ୍ତୁଳିଆ ଗ୍ରାମର କୃଷ୍ଣ ଶବର(୨୬)। ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଭୋରରେ ସଦଳବଳେ ପାଟ୍ରୋଲିଂ କରୁଥିବା ବେଳେ କୃଷ୍ଣ ୨ ଟି ଧଳା ରଙ୍ଗର ପ୍ଲାଷ୍ଟିକ ଜାରକିନ ଧରି ସନ୍ଦେହଜନକ ଅବସ୍ଥାରେ ଯାଉଥିଲେ। ତାଙ୍କୁ ଅଟକାଇ ଖାନ ତଲାସି କରାଯିବାରୁ ସେଥିରେ ଅପମିଶ୍ରିତ ଦେଶୀମଦ ଥିବା ଜଣାପଡିଥିଲା। ଅବକାରୀ ଇନ୍ସପେକ୍ଟର ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଜବତ ମଦରୁ ନମୂନା ସଂଗ୍ରହ କରାଯାଇ ଜିଲା ଫରେନ୍ସିକ ଲାବ୍ରୋଟେରୀକୁ ପଠାଯାଇଛି।
ଅଭିଯୁକ୍ତ ଜଣକ ଗ୍ରାମାଞ୍ଚଳରେ ମଦ ବିକ୍ରୀ ପାଇଁ ନେଉଥିବା ସ୍ବୀକାର କରିବା ପରେ ତାଙ୍କୁ ଅବକାରୀ ମାମଲା ନଂ.୩୬/୨୫-୨୬ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ସେହିପରି ସାନଖେମୁଣ୍ଡି ବ୍ଲକ ପାଟପୁର ଗାଁ ଛକରୁ ରାଧାଦେଇପୁର ଗ୍ରାମର ମଙ୍ଗୁଳୁ ସୁଆଁସିଆଙ୍କ ନିକଟରୁ ଶୁକ୍ରବାର ୧୪ ଟି ବିଦେଶୀ ମଦ ବୋତଲ ଜବତ କରାଯାଇ ଅବକାରୀ ମାମଲା ନଂ.୩୭/୨୫-୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଜଣାଇଛନ୍ତି।