ଚଢ଼ାଉ ବେଳେ ମିଳିଲା ମଦ ସହ ୨ ବନ୍ଧୁକ: ପରେ….

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମଙ୍ଗଳବାର ଭୋରରେ ମହୁଡା ଗ୍ରାମ ନିକଟସ୍ଥ ଦୁର୍ଗମ କେରାଣ୍ଡିମାଳ ଜଙ୍ଗଲ ସଂଲଗ୍ନ ଲୁଣ୍ଡୁରିଗୁଡା ଗ୍ରାମରେ ଅତର୍କିତ ଚଢାଉ କରାଯାଇ ଅବକାରୀ ଧରପଗଡ କରିଥିଲେ । ଗ୍ରାମର ସୁରେନ୍ଦ୍ର ମଲ୍ଲିକଙ୍କ ନିକଟରୁ ୪୦ ଲିଟର ଅପମିଶ୍ରିତ ଦେଶୀ ରନ୍ଧାମଦ ଏବଂ ବନ୍ୟଜନ୍ତୁ ଶିକାର ନିମନ୍ତେ ସେ ବ୍ୟବହାର କରୁଥିବା ୨ଟି ଦେଶୀ ବନ୍ଧୁକ ଜବତ କରିଥିବା ଜଣାପଡିଛି।
ଦୀର୍ଘଦିନ ଧରି ଉକ୍ତ ପାହାଡିଆ ଜଙ୍ଗଲରେ ଅଭିଯୁକ୍ତ ସୁରେନ୍ଦ୍ର ଅପମିଶ୍ରିତ ମଦ ପ୍ରସ୍ତୁତ କରି ତାଙ୍କ ସହଯୋଗୀଙ୍କ ଜରିଆରେ ବିଭିନ୍ନ ଗ୍ରାମକୁ ବେଆଇନ ଭାବେ ମଦ ଚୋରା ଚାଲାଣ କରି ଆସୁଥିବା ନେଇ ଅବକାରୀ ବିଭାଗକୁ ବିଶେଷ ସୁତ୍ରରୁ ଖବର ମିଳିଥିଲା ।
 ପ୍ରାପ୍ତ ସୂଚନାକୁ ଭିତ୍ତିକରି ମଙ୍ଗଳବାର ଭୋରରୁ ଏହି ଅବକାରୀ ଓ ପୋଲିସ ପକ୍ଷରୁ ମିଳିତ ଭାବେ କେରାଣ୍ଡିମାଳ ଜଙ୍ଗଲ ସଂଲଗ୍ନ ଲୁଣ୍ଡୁରିଗୁଡା ଗ୍ରାମରେ ପ୍ରଥମେ ଚଢାଉ କରାଯାଇଥିଲା । ସେହି ସମୟରେ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ କାବୁ କରାଯାଇଥିଲା । ତାଙ୍କୁ ପଚରା ଉଚୁରା କରାଯିବା ପରେ ପୋଲିସ ଅଭିଯୁକ୍ତ ସୁରେନ୍ଦ୍ରଙ୍କ ଘର ପଛପଟ ଏକ ବୁଦା ମୁଳରେ ଲୁଚେଇ ରଖାଯାଇଥିବା ଦେଶୀମଦ ଏବଂ ବନ୍ଧୁକ ଜବତ କରିଥିଲେ । ଅଭିଯୁକ୍ତ ସୁରେନ୍ଦ୍ର ବନ୍ୟଜନ୍ତୁ ଶିକାର ନିମନ୍ତେ ଗଜପତି ଜିଲା ମୋହନାରୁ ୨ଟି ଦେଶୀ ବନ୍ଧୁକ କିଣିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ । ଦିଗପହଣ୍ଡି ଥାନା ଏଏସଆଇ ମନୋଜ ସିଂଙ୍କ ଏତଲା କ୍ରମେ ମାମଲା ନଂ. ୨୫୯/୨୫ ପ୍ରକାରେ ମକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଗିରଫ ପରେ ବ୍ରହ୍ମପୁର ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।