ମେସିଙ୍କ ଗସ୍ତକୁ ନେଇ ଅସହଜ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା; କହିଲେ ଅଯଥା ଖର୍ଚ୍ଚ ହେଲା “କୋଟି କୋଟି ଟଙ୍କା…”

ନୂଆଦିଲ୍ଲୀ,୧୫ା୧୨: ଭାରତର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ନିକଟରେ ଶେଷ ହୋଇଥିବା ଭାରତ ଗସ୍ତର ପରିଚାଳନା ଶୈଳୀକୁ ନେଇ “ଅସହଜ” ଅନୁଭବ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କୋଟି କୋଟି ଟଙ୍କା କେବଳ “କିଛି ମୁହୂର୍ତ୍ତର ନିକଟତା, ଫଟୋଗ୍ରାଫ୍ ଏବଂ କ୍ଷଣିକ ମୁହୂର୍ତ୍ତ” ପାଇଁ ଖର୍ଚ୍ଚ ହୋଇଛି, ଯାହାକି ଭାରତରେ କ୍ରୀଡ଼ାର ବିକାଶ ପାଇଁ ଏବଂ ତୃଣମୂଳ ସ୍ତରରେ ଖର୍ଚ୍ଚ ହୋଇ ପାରିଥାନ୍ତା।

ମେସିଙ୍କ ଗସ୍ତ ଆରମ୍ଭରୁ ହିଁ ବିବାଦୀୟ ରହିଥିଲା, ବିଶେଷ କରି କୋଲକାତାରେ ଦର୍ଶକଙ୍କୁ ମେସିଙ୍କ ସ୍ପଷ୍ଟ ଝଲକ ଦେଖିବାର ସୁଯୋଗ ମିଳି ନ ଥିଲା ଏବଂ ଅବ୍ୟବସ୍ଥା ପାଇଁ ପ୍ରଶଂସକମାନେ ଅସନ୍ତୁଷ୍ଟ ହୋଇଥିଲେ। (ହାଇଦ୍ରାବାଦ୍ ଓ ମୁମ୍ବାଇରେ କାର୍ଯ୍ୟକ୍ରମ ସୁରୁଖୁରୁରେ ହୋଇଥିଲା।)

ବିନ୍ଦ୍ରା ସୋସିଆଲ ମିଡିଆ’ରେ ପ୍ରକାଶ କରିଛନ୍ତି ଯେ, “କୋଟି କୋଟି ଟଙ୍କା କିମ୍ବଦନ୍ତୀଙ୍କ ସହ କିଛି ମୁହୂର୍ତ୍ତର ନିକଟତା, ଫଟୋଗ୍ରାଫ୍ ପାଇଁ ଖର୍ଚ୍ଚ କରାଯାଇଛି।” ସେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଏହି ଅର୍ଥର ଏକ କ୍ଷୁଦ୍ର ଅଂଶକୁ ମଧ୍ୟ ଯଦି ଦେଶରେ ଖେଳ ପଡ଼ିଆ, ପ୍ରଶିକ୍ଷକ ଏବଂ କ୍ରୀଡ଼ାର ମୂଳଦୁଆକୁ ମଜବୁତ କରିବା ପାଇଁ ବିନିଯୋଗ କରାଯାଇଥାନ୍ତା, ତେବେ ଏହା ବଡ଼ ସମ୍ଭାବନା ସୃଷ୍ଟି କରିଥାନ୍ତା।

ବିନ୍ଦ୍ରା କହିଛନ୍ତି, “ସମାଜ ଭାବରେ ଆମେ କ’ଣ କ୍ରୀଡ଼ା ସଂସ୍କୃତି ନିର୍ମାଣ କରୁଛୁ କି କେବଳ ଦୂରରେ ଥିବା ବ୍ୟକ୍ତିବିଶେଷଙ୍କୁ ପାଳନ କରୁଛୁ?”

ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ମେସିଙ୍କୁ କୌଣସି ପ୍ରକାରେ ଦୋଷ ଦେଉ ନାହାଁନ୍ତି ଏବଂ ଜଣେ ଆଇକନ୍ ଭାବରେ ତାଙ୍କ ପ୍ରତି ସମ୍ମାନ ରହିଛି। ତେବେ ଦେଶରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଅଧିକ ଧ୍ୟାନ ଦେବାକୁ ସେ ଆହ୍ୱାନ କରିଛନ୍ତି।