ଲାଞ୍ଜିଗଡ଼,୯।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ଅଧୀନ ପଦ୍ମଥୋପା ଗାଁରେ ଗୁରୁବାର ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଦ୍ମଥୋପା ଗାଁର ଟୁଟୁ ହରିଜନ(୫୩)।

ମିଳିଥିବା ସୂଚନା ମୁତାବକ, ଟୁଟୁ ଗାଁ ନିକଟସ୍ଥ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିଲେ। ହେଲେ ଅପରାହ୍ନରେ ବର୍ଷା ସହ ଘଡଘଡି ହୋଇଥିଲା। ଏନେଇ ଟୁଟୁ ଏକ ଗଛମୂଳେ ଠିଆ ହୋଇଯାଇଥିଲେ। ସେତିକିବେଳେ ବଜ୍ରପାତ ଘଟିଥିଲା।

ଫଳରେ ସେ ଅଚେତ ହୋଇପଡିଥିଲେ। ଗାଁ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଟୁଟୁଙ୍କୁ ଉଦ୍ଧାର କରି ନିକଟସ୍ଥ ବେନଗାଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଟୁଟୁଙ୍କ ପୁଅ ରସନ ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ବିଜେପୁର ଥାନା ଅଧିକାରୀ ନୀଳାମ୍ବର ଜାନୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ ଡାକ୍ତରଖାନାକୁ ପଠାଇଥିଲା। ଏନେଇ ବିଜେପୁର ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୮/୨୫) ରୁଜୁ ହୋଇଛି। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବା ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ନୀଳାମ୍ବର ଜାନୀ କହିଛନ୍ତି।

ଟୁଟୁଙ୍କ ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ପରିବାର କହିଲେ ବର୍ତ୍ତମାନ ସ୍ତ୍ରୀ ଓ ଦୁଇ ପୁଅ ଥିବା ବେଳେ ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।