ଚିକିଟି,୩୦।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜଲା ଚିକିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଅଧୀନ ବାତରପଲ୍ଲୀ ଗ୍ରାମ ନିକଟରେ ଶୁକ୍ରବାର ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକ ହେଲେ ଚାନ୍ଦପୁର ପଞ୍ଚାୟତ ହରିପୁରପଲ୍ଲୀ ଗ୍ରାମର ଶିବ ପାଇକ(୫୫)। ଗୁରୁତର ହେଲେ ବାତରୋଡାପଲ୍ଲୀ ଗ୍ରାମର ଗଣପତି ନାଏକ, ବେଲପନ୍ଥୀର ବିଜୟ ଗୌଡ଼ ଏବଂ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖଇରପଙ୍କ ଗ୍ରାମର ଦିଲ୍ଲୀ କନ୍ୟାରୀ।
ସୂଚନାଯୋଗ୍ୟ, ୪ଜଣ ଛେଳି ଜଗୁଆଳି ଚାନ୍ଦପୁର ପଞ୍ଚାୟତର ବାତରୋଡାପଲ୍ଲୀ ଗ୍ରାମ ନିକଟରେ ଛେଳି ଚରାଉଥିଲେ। ପରେ ସେମାନେ ମିଶି ଭୋଜନ କରୁଥିବା ବେଳେ ହଠାତ ପ୍ରବଳ ବର୍ଷା ହୋଇ ବଜ୍ରପାତ ଘଟିଥିଲା।
ଫଳରେ ଘଟଣାସ୍ଥଳରେ ଶିବଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିଲେ l ସ୍ଥାନୀୟ ବାତରଡା ଗ୍ରାମ ସମେତ ଆଖପାଖ ଅଞ୍ଚଳର ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୋମକେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଖବର ପାଇଁ ନୂଆପଡ଼ା ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି।