ଡଙ୍ଗାରେ ବଜ୍ରପାତ: ବାପ ମୃତ, ପୁଅ ନିଖୋଜ

ମହାକାଳପଡ଼ା,୨୧ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ତନ୍ତିଆପାଳ ଗ୍ରାମର ବିଜୟ ପରିଡ଼ା (୪୭) ପୁଅଙ୍କ ସହ ସମୁଦ୍ରକୁ ଡଙ୍ଗା ନେଇ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ସମୁଦ୍ର ମଝିରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ଡଙ୍ଗାରେ ଥିବା ବାପ ବିଜୟଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ମାନସ(୧୭) ଛିଟିକି ସମୁଦ୍ରରେ ପଡ଼ି ନିଖୋଜ ହୋଇଯାଇଥିବା ନିକଟରେ ଥିବା ଟ୍ରଲର ଅନ୍ୟ ମତ୍ସ୍ୟଜୀବୀମାନଙ୍କୁ ଜଣାଇଥିଲେ।

ସେମାନେ ଗାଁକୁ ଖବର ଦେଇଥିଲେ। ପବନରେ ଡଙ୍ଗାଟି ଭାସିଆସି ପେଣ୍ଠକୂଳରେ ଲାଗିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀ ରବିବାର ଦେଖି ଖବର ଦେଇଥିଲେ। ବିଜୟଙ୍କ ଛାତି ଓ ହାତରେ ବଜ୍ରପାତରେ ପୋଡ଼ିଗଲା ଭଳି କଳାଦାଗ ରହିଛି। ଖବରପାଇ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ବନ ବିଭାଗର କର୍ମଚାରୀ ଓ ତନ୍ତିଆପାଳ ସାମୁଦ୍ରିକ ଥାନା ପୋଲିସ ସମୁଦ୍ରକୂଳ ପେଣ୍ଠ ନିକଟରୁ ଡଙ୍ଗାକୁ ଉଦ୍ଧାର କରି ତନ୍ତିଆପାଳ ମତ୍ସ୍ୟଜେଟୀରେ ପହଞ୍ଚିଛି।

ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତ ମତ୍ସ୍ୟଜୀବୀଙ୍କୁ ଦେଖି ଦୁଃଖ ପ୍ରକାଶ କରିଛନ୍ତି। ଗରିବ ମତ୍ସ୍ୟଜୀବୀ ବିଜୟଙ୍କ ମୃତ୍ୟୁ ପରେ ପରିବାରର ସ୍ତ୍ରୀ ଆଶାଙ୍କ ଆଖିରୁ ଲୁହ ଶୁଖୁନି। ୨ଟି ଛୋଟ ଝିଅ, ପୁଅଙ୍କୁ ନେଇ ସଂସାର କେମିତି ଚଳିବ କିଛି ବୁଦ୍ଧି ବାଟ ଦେଖାଯାଉନାହିଁ। ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା (୧୦/୨୫) ରୁଜୁ କରି ତଦନ୍ତ ଚଳାଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ବୋଲି ଆଇଆଇସି କିଶୋର କୁମାର ତରାଇ କହିଛନ୍ତି।