ଦାରିଙ୍ଗବାଡ଼ି,୧୯ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁଇଦିନ ହେଲା ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ହେଉଛି। ଶନିବାର ଉକ୍ତ ବ୍ଲକ୍ ତିଲୋରୀ ପଞ୍ଚାୟତ ଜଗେରମାହା ଗ୍ରାମରେ ବଜ୍ରପାତ ଘଟି ଜୋସେଫ ପ୍ରଧାନଙ୍କ ୫ ଛେଳିଙ୍କ ମୃତ୍ୟୁ ହୋଇଛି।
ଫଳରେ ଛେଳି ଚାଷ ଉପରେ ନିର୍ଭର କରୁଥିବା ଜୋସେଫ ଏବେ ଚିନ୍ତାରେ ପଡିଛନ୍ତି। ପ୍ରକାଶ ଯେ, ୨ ଦିନ ହେଲା ଭାରତ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ଓ ପବନ ହେବାର ସୂଚନା ଦିଆଯାଇଥିଲା। ଏଥିପ୍ରତି ସତର୍କ ରହିବାକୁ ମଧ୍ୟ ଅନୁରୋଧ କରାଯାଉଛି। କିନ୍ତୁ ଏବେ ଧାନରୁଆ କାର୍ଯ୍ୟ ଚାଲିଥିବା ସହ ଅଞ୍ଚଳରେ ଉଦ୍ୟାନକୃଷି କାର୍ଯ୍ୟରେ ବିଭିନ୍ନ ପ୍ରକାର ପନିପରିବା ଚାଷ କାର୍ଯ୍ୟ ଚାଲିଛି। ତେଣୁ ଚାଷୀମାନଙ୍କ ଗୋରୁ, ମଇଁଷି, ଛେଳି ପଲ ମଧ୍ୟ ଜଙ୍ଗଲରେ ଚରାବୁଲା କରୁଥିବାରୁ ଅଘଟଣ ଘଟିଥିବା କୁହାଯାଇଛି।