୨ ଦିନରେ ବଜ୍ରପାତ ନେଲା ୨ ଜୀବନ

ଥୁଆମୂଳ ରାମପୁର,୧୫ା୫ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବଜ୍ରପାତରେ ୨ ଦିନରେ ଦୁଇଟି ଅମୂଲ୍ୟ ଜୀବନ ଯାଇଛି। ମଙ୍ଗଳବାର ପୋଡାପଦର ପଞ୍ଚାୟତ ତଳଟେମରା ଗାଁର ମାଦାନ ମାଝୀଙ୍କ ଝିଅ ସବିତା ମାଝୀ (୯)ଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ବାଗଡିଆଣୀ ପଞ୍ଚାୟତ ଏଲ ଜାମଗୁଡା ଗ୍ରାମର ବାହାଦୁର ମାଝୀଙ୍କ ସ୍ତ୍ରୀ ପାଙ୍ଗି ମାଝୀ (୫୫)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ସୂଚନାକ୍ରମେ ପାଙ୍ଗି ମାଝିଙ୍କ ସହ ଗ୍ରାମର ଉମାଶଙ୍କର ମାଝି (୧୬) ଓ ମିଶ୍ରା ମାଝି (୧୦) ନିକଟସ୍ଥ ଆମ୍ବ ତୋଟାରୁ ଆମ୍ବ ସଂଗ୍ରହ କରୁଥିବା ବେଳେ ହଠାତ୍‌ କାଳବୈଶାଖୀ ପ୍ରଭାବରେ ଆମ୍ବ ଗଛରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ପାଙ୍ଗିଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ମୃତ ଓ ଆହତ ଦ୍ୱୟଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ସ୍ଥାନୀୟ ତହସିଲଦାର ନିରୋଜ କୁମାର ଭତ୍ରାଙ୍କ ସମେତ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ଭାଜପା ନେତା ବିପିନ ବିହାରୀ ନାଏକ ପହଞ୍ଚତ୍ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ଏ ନେଇ ଥୁଆମୂଳ ରାମପୁର ଥାନାରେ ୨ ଓ ୩/୨୫ରେ ପୃଥକ୍‌ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Share