ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଛତିଶଗଡ଼ ବସ୍ତର ଜିଲାର ଦିନେଶ ରାଜପୁତ୍। ସେ ଜଣେ ଗଣମାଧ୍ୟମ ପ୍ରତିନିଧି ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ ତାଙ୍କ ସହ ବୁଳିବାକୁ ଆସିଥିବା ସାଙ୍ଗଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।
ମିଳିଥିବା ସୂଚନା ମୁତାବକ, ପଡୋଶୀ ଛତିଶଗଡ଼ ରାଜ୍ୟର ୪ଜଣ ସାଙ୍ଗ ଦିନେଶ, ବିକ୍ରମ ଲେହେର୍, ନରେନ୍ଦ୍ର ଭବାନୀ ଏବଂ ସ୍ବରବ ଦେବାଙ୍ଗନ୍ ଏକ କାର୍(ନଂ.CG17 LA 8513) ଯୋଗେ ଶନିବାର ଦେଓମାଳି ବୁଲିବାକୁ ଆସି ରାତିରେ ରହିଥିଲେ। ସେମାନେ ରାତିରେ ମଜାମଜଲିସ୍ କରିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ସାଙ୍ଗ ତମ୍ବୁରେ ବିଶ୍ରାମ ନେଇଥିବା ବେଳେ ଦିନେଶ ଏବଂ ନରେନ୍ଦ୍ର କାର୍ରେ ବିଶ୍ରାମ ନେଇଥିଲେ।
ରବିବାର ସକାଳେ ଦିନେଶ ନିଃଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ଏହା ଦେଖି ସାଙ୍ଗମାନେ ଦିନେଶଙ୍କୁ ତୁରନ୍ତ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପଟ୍ଟାଙ୍ଗି ପୋଲିସ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଦିନେଶଙ୍କ ମୃତଦେହ ଜବତ କରି ସାଙ୍ଗମାନଙ୍କୁ ଘଟଣା ସଂକ୍ରାନ୍ତରେ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି।