ଚିତ୍ରରେ ଚିତ୍ରରେ ଜୀବନ

ଶିଳ୍ପୀଙ୍କ ହାତତିଆରି କଳାକୃତି କେବଳ ଦେଖିବାକୁ ସୁନ୍ଦର ହୋଇ ନ ଥାଏ, ଏହା ସେହି ରାଜ୍ୟର କଳାସଂସ୍କୃତି ଓ ଐତିହ୍ୟକୁ ବେଶ୍‌ ସମୃଦ୍ଧ କରିଥାଏ। ସେମିତି ଜଣେ ଶିଳ୍ପୀ ସାମ୍ପ୍ରତିକ ସମାଜର ବିଭିନ୍ନ ଘଟଣାବଳୀକୁ ଆଧାରକରି ତାଙ୍କ ଚିତ୍ରକଳାରେ ସ୍ଥାନଦେଇଥାନ୍ତି। ପୁଣି କେତେବେଳେ ପରିବେଶପ୍ରତି ନଜର ରଖିତ୍ ବନ୍ୟପ୍ରାଣୀଙ୍କ ସୁରକ୍ଷାନେଇ ଚିତ୍ରକଳାରେ ଜନସଚେତନତା ସୃଷ୍ଟି କରିଥାନ୍ତି। ଏମିତିରେ ସେ ଉପକୂଳବର୍ତ୍ତୀ ଓଡ଼ିଶାର ଲୋକକଳାକୁ ନେଇ ଏକ ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି। ତାଙ୍କର କଳାକୃତି ପାଇଁ ବିଭିନ୍ନ ସଂସ୍ଥା ସମେତ ଓଡ଼ିଶା ଲଳିତକଳା ଏକାଡେମୀ ତରଫରୁ ତାଙ୍କୁ ମିଳିଛି ପୁରସ୍କାର ଓ ସମ୍ମାନ। ସେ ହେଲେ ଅନୁପ କୁମାର ଚାନ୍ଦ। ଜନ୍ମ ୨୦ା୫ା୧୯୭୩ରେ। ପିତା ସୁଶୀଲ କୁମାର ଚାନ୍ଦ, ମାତା ଆଶାଲତା ଚାନ୍ଦ। ଘର ବାଲେଶ୍ୱର ଜିଲାର ଭୋଗରାଇରେ। ସେ କୁହନ୍ତି, ମୋର ୨ଭାଇ ଓ ୨ଭଉଣୀ। ପରିବାରରେ ମୁଁ ସମସ୍ତଙ୍କଠାରୁ ସାନ । ପିଲାଟିଦିନୁ ଘରେ ସବୁବେଳେ ମା’ଙ୍କ ସାଥିରେ ରହିଥାଏ। ମା’ ଯେତେବେଳେ ଘରେ ଝୋଟି ପକାଉଥିଲେ ସେସବୁକୁ ଅନୁକରଣ କରୁଥିଲି। ସେବେଠାରୁ ନିଜେ ଝୋଟି ପକାଇବା ଅଭ୍ୟାସ ଜାରିରଖିଲି। ଘରେ ସୁନ୍ଦର ସୁନ୍ଦର ଝୋଟି ପକାଉଥିବାର ଦେଖି ମତେ ସମସ୍ତ ବହୁତ ଉତ୍ସାହିତ କରୁଥିଲେ। ଥରେ କେତୋଟି ପାଚିଲା ତାଳକୁ ନେଇ ସେଥିରେ ବିଭିନ୍ନ କଳାକୃତି ତିଆରି କରିଥିଲି। ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ରକଳାକୁ ଅଙ୍କନ କରିଥିଲି । ଏଥିରେ ପରିବାରର ସଦସ୍ୟମାନେ ବହୁତ ପ୍ରଶଂସା କରିଥିଲେ। ସେବେଠାରୁ ଆଉ ପଛକୁ ଫେରି ଚାହିଁ ନାହିଁ। ଏମିତିରେ ଗାଁରେ ଆୟୋଜିତ ବିଭିନ୍ନ ଉତ୍ସବରେ ପାରମ୍ପରିକ ଚିତ୍ର କରିବା ପାଇଁ ସୁଯୋଗ ମିଳୁଥିଲା। ଭୋଗରାଇ ଫିଡର ସ୍କୁଲରେ ପ୍ରାଥମିକ ଶିକ୍ଷା ଓ ନାମ୍ପୋ ହାଇସ୍କୁଲରେ ୧୦ମ ପାସ୍‌ କରିବାପରେ ଭୁବନେଶ୍ୱର ବିକେ ଆର୍ଟ କଲେଜରେ ପଢିଲି। ସେତେବେଳେ ଏଇ କଲେଜରେ ବ୍ୟୋମକେଶ ମହାନ୍ତି ଥା’ନ୍ତି। କଲେଜର ଅଧ୍ୟକ୍ଷଭାବେ ଦୀନନାଥ ପାଠୀଙ୍କଠାରୁ ଚିତ୍ରକଳା ଶିକ୍ଷା ପାଇଥିଲି। ୧୯୯୩ରେ ବିକେ ଆର୍ଟ କଲେଜରୁ ଚିତ୍ରକଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲି। ଅଧିକ ଚିତ୍ରକଳା ଶିକ୍ଷା ପାଇଁ ମଧ୍ୟପ୍ରଦେଶର ଇନ୍ଦିରା କଳାସଙ୍ଗୀତ ବିଶ୍ୱବିଦ୍ୟାଳୟରେ ପଢିଲି। ସେଠାରେ ଆଦିବାସୀ ଲୋକକଳା ସମ୍ପର୍କରେ ଶିକ୍ଷା ଲାଭ କଲି। ୧୯୯୬ରେ ଖଇରାଗଡ଼ ଇନ୍ଦିରା କଳାସଙ୍ଗୀତ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲି। ଏହି ସମୟରେ ଉକ୍ତ ବିଶ୍ୱବିଦ୍ୟାଳୟରେ ଚିତ୍ରକଳାକୁ ନେଇ ଗବେଷଣା ଜାରି ରଖିଲି। ତାସହ ଅଧ୍ୟାପନା କାର୍ଯ୍ୟ ବି କରୁଥିଲି। ଗବେଷଣାପରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲି। ଏହାପରେ ବୁନ୍ଦେଲଖଣ୍ଡ-ଝାନ୍‌ସୀରେ ସ୍ବଳ୍ପ ସମୟ ପାଇଁ ଅଧ୍ୟାପନା କାର୍ଯ୍ୟ କରିଥିଲି। କିନ୍ତୁ ମୋର ଭାବନାରେ ମୁଁ ଜଣେ ସମକାଳୀନ କଳାକାର। ଆଖପାଖ ପରିବେଶର ବିଭିନ୍ନ ଘଟଣାବଳୀକୁ ନେଇ ସେଥିରେ ଭାବନାକୁ ଯୋଡ଼ିଯୋଡ଼ି କେତେକ କାଳ୍ପନିକ ଚିତ୍ର ତିଆରି କରିଥାଏ। ଯାହା ସମାଜରେ ସୁପ୍ରଭାବ ପକାଇପାରିବ। ଏଥିରୁ ସ୍ବତନ୍ତ୍ର ଚିତ୍ରକଳା ସୃଷ୍ଟିହୁଏ। ଯାହା କାହାରି ମନରେ ଯେପରି ନିରାଶ ନ ଭରିବ ବରଂ ସକାରାତ୍ମକ ପ୍ରଭାବ ପକାଇପାରିବ, ଏମିତି କ୍ଷେତ୍ର ପ୍ରତି ସର୍ବଦା ଚିନ୍ତାକରି ଚିତ୍ରକରେ। ବିଶେଷକରି କାଳ୍ପନିକ ଚିତ୍ର ଓ ବାଘଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ଚିତ୍ରକଳା ତିଆରି କରିପାରିଛି। ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ ଆଦି ବିଦେଶ ରାଷ୍ଟ୍ରରେ ଏହି ଚିତ୍ରକଳାକୁ ପ୍ରଦର୍ଶନ କରାଯାଇଛି। ଜାତୀୟ ଓ ରାଜ୍ୟସ୍ତରରେ ପୁରସ୍କୃତ ଓ ସମ୍ମାନିତ ମଧ୍ୟ ହୋଇଛି। ୨୦୨୧ରେ ଓଡ଼ିଶା ଲଳିତକଳା ଏକାଡେମୀ ଦ୍ୱାରା ପୁରସ୍କୃତ, ୧୯୯୭ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଜୁନିୟର ରିସର୍ଚ୍ଚ ଫେଲୋଶିପ ମିଳିଛି। ୨୦୦୨ରେ ମହାକୋଶଳ କଳାପରିଷଦରୁ ଓ ୨୦୧୦ରେ ଅଲ୍‌ଇଣ୍ଡିଆ ଫାଇନ ଆର୍ଟ ଆଣ୍ଡ କ୍ରାଫ୍ଟ ସୋସାଇଟି ତରଫରୁ ପୁରସ୍କୃତ ହୋଇଛି। ଦକ୍ଷିଣ କେନ୍ଦ୍ରୀୟ ଜୋନ୍‌ ସାଂସ୍କୃତିକକେନ୍ଦ୍ର ନାଗପୁର ଦ୍ୱାରା ମଧ୍ୟ ପୁରସ୍କୃତ ହୋଇଛି। ଓଡ଼ିଶା ରାଜ୍ୟ ଯୁବ ପୁରସ୍କାର, ଛତିଶଗଡ଼ରେ ସମକାଳୀନ କଳା ଉପରେ ଏକ ପୁସ୍ତକ ଲେଖିଛି। କଳା ଓ ସଂସ୍କୃତି ଉପରେ ଆଧାରିତ ୩୦ରୁ ଊର୍ଦ୍ଧ୍ୱ ଲେଖା କେତେକ ପ୍ରତିଷ୍ଠିତ ମାଗାଜିନରେ ପ୍ରକାଶିତ ହୋଇସାରିଛି। ବ୍ୟକ୍ତିତ୍ୱ ଓ କୃତିତ୍ୱ ନାମକ ଏକ ଗବେଷଣା ଗ୍ରନ୍ଥରେ ମୋ ସମ୍ପର୍କରେ ପ୍ରକାଶିତ ହୋଇଥିବା ବିଷୟକୁ ଦୀପିକା ପୁଣ୍ଡିରକଙ୍କ ଦ୍ୱାରା ୨୦୧୩ ମସିହାରେ ରାଜସ୍ଥାନ ବନସ୍ଥଳୀ ବିଦ୍ୟାପୀଠ ଓ ଜୟପୁରରେ ଉପସ୍ଥାପିତ କରାଯାଇଛି। ଭୁବନେଶ୍ୱର, ରାୟପୁର, ବିଳାସପୁର, ମୁମ୍ବାଇ ଓ ନୂଆଦିଲ୍ଲୀ ଆଦି ପ୍ରାୟ୧୦ଟି ସ୍ଥାନରେ ଏକକ ଚିତ୍ରକଳା ପ୍ରଦର୍ଶନୀ କରାଯାଇଥିବା ବେଳେ ପ୍ରାୟ ୨ଶହରୁ ଅଧିକ ଚିତ୍ରଶିଳ୍ପୀଙ୍କ ଶିବିରରେ ଗ୍ରୁପ ଶିଳ୍ପୀକାରିଗରଙ୍କ ଦ୍ୱାରା ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀ ହୋଇସାରିଛି। ଶତାଧିକ କଳାକାର ଓ କାରିଗରଙ୍କ ଶିବିରରେ ଚିତ୍ରକଳା ପାଇଁ ଯୋଗ ଦେଇସାରିଛି। ଚିତ୍ରକଳାକୁ ନେଇ ମୋ କାମରେ ପତ୍ନୀ ଶୁଭ୍ରା ଚାନ୍ଦ ସହଯୋଗ କରିଥାନ୍ତି। ତେବେ ସମାଜରେ ଜଣେ ଚିତ୍ରଶିଳ୍ପୀଭାବେ ମୋର ପରିଚୟ ତିଆରି ହୋଇପାରିଥିବାରୁ ମୋତେ ଆତ୍ମସନ୍ତୋଷ ମିଳୁଛି।
-ବନବିହାରୀ