ନାବାଳିକା ବଳାତ୍କାରୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୧୮ା୧୦(ନରେଶ ଚନ୍ଦ୍ର ପଟ୍ଟାନୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ବିଜୟ କୁମାର ମିଶ୍ର ଘଷିପୁରା ଥାନା ଅନ୍ତର୍ଗତ ମୁରବାଲି ଗ୍ରାମର ପୁପୁନ ପାତ୍ର(୨୬)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ପୋକ୍ସୋ ଦଫାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ୨୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ୬ ମାସ ଅଧିକ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ମାମଲା ବିବରଣୀ ଅନୁଯାୟୀ, ୧୭ ଜୁଲାଇ ୨୦୨୩ରେ ପୁପୁନ ପୀଡ଼ିତାଙ୍କ ବାପାଙ୍କୁ ଧାର ଦେଇଥିବା ପଇସା ମାଗିବାକୁ ତାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ପୀଡ଼ିତା ତାଙ୍କ ମାମୁଁ ଘରକୁ ଯିବାକୁ ବାହାରିବାରୁ ଅଭିଯୁକ୍ତ ଛାଡି ଦେବେ କହି ବାଇକ୍‌ରେ ବସାଇ ନେଇଥିଲେ। ତା ପରଦିନ ହରିଚନ୍ଦନପୁର ସିଙ୍ଗବିଲ ବାଇପାସ ମୂଷଳ ନଦୀ ନିକଟରେ ପୀଡ଼ିତାଙ୍କ ମୃତଦେହ ପଡ଼ିଥିବା ଲୋକେ ଦେଖିଥିଲେ। ହରିଚନ୍ଦନପୁର ପୋଲିସ ମୃତଦେହ ଜବତ କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ ବଳାତ୍କାର ପରେ ହତ୍ୟା କରି ଭିଙ୍ଗି ଦେଇଥିବା ଜଣାପଡିଥିଲା।

ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଉପରୋକ୍ତ ରାୟ ଶୁଣାଇଥିବା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା ସୂଚନା ଦେଇଛନ୍ତି। ଏଥିସହ ପୀଡ଼ିତାଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଜିଲା ଆଇନସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି।

Dharitri – Odisha’s No.1 Odia Daily

Share