ରାୟଗଡ଼ା,୩୦।୮(ଆଶିଷ ରଞ୍ଜନ ପଣ୍ଡା): ଏକ ହତ୍ୟା ମାମଲାର ବିଚାର କରି ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ରାୟ ଦେଇଛନ୍ତି ରାୟଗଡ଼ା ଅତିରିକ୍ତ ଜିଲା ଦୌରାଜଜ ଅଳ୍ପନା ସ୍ବାଇଁ। ଏହି ମାମଲାରେ ବିଚାରଣା କରି ଶନିବାର ଅଭିଯୁକ୍ତ ଅଶୋକ ଗେଡ, ଭାଗିରଥୀ ଗେଡ ଓ ବିକ୍ରମ ଗେଡଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ହତ୍ୟା ଘଟଣାରେ ୨୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପରେ ଦଫା ୩୦୨/୩୪ ଆପିସି, ଆରଡବ୍ଲ୍ୟ ୩(୧)(ଆର)(ଏସ)/୩(୨)(ଭି)(ଭିଏ) ଏସସି ଏବଂ ଏସ ଟି (ପିଓଏ) ଆକ୍ଟରେ ବିଚାରଣା କରି ଆଜି ରାୟଗଡ଼ା ଅତିରିକ୍ତ ଜିଲା ଦୌରାଜଜ ଅଳ୍ପନା ସ୍ବାଇଁ ୩ ଜଣ ଅଭିଯୁକ୍ତଙ୍କୁ ରାୟରେ ଉଲ୍ଲେଖ କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକା ୬ ମାସ ସଶ୍ରମ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି । ମିଳିଥିବା
ସୂଚନା ମୁତାବକ, ଗତ ୨୦୨୩ ମସିହା ଜୁନ ୯ ତାରିଖ ସକାଳ ସମୟରେ କାଶୀପୁର ବ୍ଲକର ଗଜେନ୍ଦ୍ର ନାୟକ କଶନାଦୋରା ଗ୍ରାମରେ ଥିବା ଜମିରେ ସମତଳ ହେଉଥିବା କାର୍ଯ୍ୟକୁ ତଦାରଖ ପାଇଁ ଯାଇଥିଲେ । ଜେସିବି ମେଶିିନ ଦ୍ବାରା ଅପରେଟର ରଘୁ ଝୋଡିଆ ଏବଂ ତାଙ୍କର ସହଯୋଗୀ ଅନନ୍ତ ମାଝି ଏବଂ ଚେତନ୍ୟ ମାଝି ଏହି କାର୍ଯ୍ୟ କରୁଥିଲେ । ଉକ୍ତ ସମୟରେ ଭାଗିରଥୀ ଗେଡ ଓ ତାଙ୍କର ଦୁଇ ସହଯୋଗୀ ଅଶୋକ ଗେଡ ଓ ବିକ୍ରମ ଗେଡ ସେହି ସ୍ଥାନକୁ ଆସି ଆମ ଜମି କେଉଁଠି ଅଛି ଦେଖାଇଦେ କହିବା ସହ ସେମାନେ ସାଙ୍ଗରେ ଆଣିଥିବା ଟାଙ୍ଗିଆ ଦ୍ବାରା ପ୍ରଥମେ ତାଙ୍କ ଗୋଡ ଏବଂ ପରେ ବେକକୁ ଆକ୍ରମଣ କରିଥିଲେ । ସେଠାରେ କାର୍ଯ୍ୟ କରୁଥିବା ଲୋକମାନେ ପାଟି କରିବାରୁ ସେମାନେ ଘଟଣାସ୍ଥଳରୁ ଦେଡି ପଳାଇଥିଲେ । ଜମିରେ କାର୍ଯ୍ୟ କରୁଥିବା ଲୋକ ମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗଜେନ୍ଦ୍ରଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମତ୍ୟୁ ଘୋଷଣା କରିଥିଲେ । ଗଜେନ୍ଦ୍ରଙ୍କ ପୁଅ ମିହିର କୁମାର ନାୟକ ଏନେଇ କାଶୀପୁର ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ । କାଶୀପୁର ପୋଲିସ ଘଟଣାର ତଦନ୍ତ କରି ୨୦୨୩ ଜୁନ ୧୨ ତାରିଖରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବ୍ୟବହୃତ ହୋଇଥିବା ୩ଟି ଟାଙ୍ଗିଆକୁ ଜବତ କରିଥିଲେ । ସରକାରଙ୍କ ତରଫରୁ ଏହି ମାମଲାକୁ ଏପିପି ରାମପ୍ରସାଦ ପାତ୍ର ପରିଚାଳନା କରୁଥିଲେ ।