ବାଲିଗୁଡ଼ା,୨୦ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିସ୍ଥିତ ଭୋଇ ସାହିର ଶିବ ପ୍ରସାଦ ଭୋଇ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଶିବ ଟିକାବାଲି ବ୍ଲକ ଅଧିନସ୍ଥ ବୁର୍ବୀନାଜୁ ଗ୍ରାମ ପଞ୍ଚାୟତ ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ କିରାଣି ଭାବରେ କାର୍ଯ୍ୟରତ ଥିଲେ।
ସୂଚନାନୁଯାୟୀ, ଶିବ ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଭୋର୍ରୁ ଟିକାବାଲି ମାଷ୍ଟ୍ରପଡ଼ା ସାହି ପାଖରେ ଥିବା ରଙ୍ଗୁଆରେ ସ୍ନାନ କରିବା ବେଳେ ହଠାତ୍ ଗୋଡ଼ ଖସି ଯିବାରୁ ମୁହଁ ମାଡ଼ି ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ସକାଳୁ କିଛି ସ୍ଥାନୀୟ ଲୋକେ ଗାଧୋଇବା ପାଇଁ ଆସିଥିବା ବେଳେ କୌଣସି ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହି ଖବର ଚାରିଆଡ଼େ ଚହଳ ପଡ଼ିବା ପରେ ଶିବଙ୍କ ପୁଅ ବାଦଲ ଆସି ଦେଖିବା ପରେ ବାପାଙ୍କୁ ଚିହ୍ନିଥିଲେ। ସ୍ଥାନୀୟ ଲୋକମାନେ ପ୍ରଥମେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଓ ଟିମ୍ ହ୍ୟୁମାନିଟି ସଦସ୍ୟ ହିରୋ ନାୟକ, ନୀଳମାଧବ ଗିଡିଙ୍କ ସାହାଯ୍ୟରେ ପ୍ରଥମେ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ଶିବଙ୍କୁ ମୃତ ଘୋଷଣା କରିଥିଲେ। ଟିକାବାଲି ଥାନା କେସ୍ ନଂ. ୨/୨୫ରେ ଏକ ମାମଲା ରୁଜୁ କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏଏସ୍ଆଇ ରାଜେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି l