ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହ ସେମାନଙ୍କ ବିରୋଧରେ ଜରିମାନା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୁଧବାର କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି।
୧ ଡ୍ରଗ୍ସ, ସେଗୁଡ଼ିକର ବ୍ୟବହାର, ରିସ୍କ ଓ ନିୟାମକ ଉପରେ କେନ୍ଦ୍ର ଏକ ବିସ୍ତୃତ ବିବରଣୀରେ କହିଛି ଯେ, ନିକଟରେ ଅନେକ ପ୍ରକାର ଓଜନ ହ୍ରାସ ଔଷଧ ଭାରତୀୟ ବଜାରକୁ ଆସିଛି। ଖୁଚୁରା ଫାର୍ମାସି, ଅନ୍ଲାଇନ୍ ପ୍ଲାଟଫର୍ମ, ହୋଲ୍ସେଲର ଓ ଓ୍ବେଲ୍ନେସ୍ କ୍ଲିନିକ୍ରେ ସେଗୁଡ଼ିକ ଅତି ସହଜରେ ବଜାରରେ ଉପଲବ୍ଧ ହେଉଛି, ଯାହାକି ଅତ୍ୟନ୍ତ ଚିନ୍ତାଜନକ। ଡାକ୍ତରଙ୍କ ବିନା ପରାମର୍ଶରେ ଲୋକେ ଏଭଳି ଡ୍ରଗ୍ସ ବ୍ୟବହାର କରୁଥିବାରୁ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ମଧୁମେହ ଚିକିତ୍ସା ପାଇଁ ଜିଏଲ୍ପି ୧ ଡ୍ରଗ୍ସ ବ୍ୟବହାର କରାଗଲେ ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇପାରେ। ତେଣୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଏ ସମ୍ପର୍କିତ ନିୟାମକ ସର୍ଭିଲାନ୍ସକୁ କଡ଼ାକଡ଼ି କରିଛନ୍ତି। ଦେଶରେ କେବଳ ଏଣ୍ଡ୍ରୋକ୍ରୋନୋଲୋଜିଷ୍ଟ, ଇଣ୍ଟର୍ନାଲ ମେଡିସିନ୍ ସ୍ପେଶାଲିଷ୍ଟ ଓ କାର୍ଡିଓଲୋଜିଷ୍ଟଙ୍କ ପରାମର୍ଶରେ ହିଁ ଏହାର ବିକ୍ରିକୁ ଅନୁମତି ଦିଆଯାଇଥିବା ଏଥିରେ ସ୍ପଷ୍ଟ କରାଯାଇଛି। ପ୍ରକାଶ ଯେ, ନିକଟରେ ଏଭଳି ୪୯ ସଂସ୍ଥା ଉପରେ ଚଢ଼ାଉ କରାଯାଇଥିଲା। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।