ନୂଆଦିଲ୍ଲୀ,୩୦।୧: ଛତିଶଗଡ଼ର ସବୁଠାରୁ ସୁରକ୍ଷିତ ଜେଲ୍ରୁ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ଯୁବତୀ ଜେଲ୍ ଭିତରେ ପଶି ନିଜ ପ୍ରେମିକକୁ ଭେଟିବା ସହ ସେଠାରେ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଘଟଣା ଜେଲ୍ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଓ କଡ଼ା ନିୟମକୁ ନେଇ ବଡ଼ ଧରଣର ପ୍ରଶ୍ନ ଉଠାଇଛି।
ଜେଲ୍ରେ ଥିବା ପ୍ରେମିକ ତାରକେଶ୍ୱରର ଜନ୍ମଦିନ ଅବସରରେ ଜଣେ ଯୁବତୀ ତାକୁ ଭେଟିବାକୁ ଆସିଥିଲେ। ଜେଲ୍ର ସାକ୍ଷାତ କରିବା କକ୍ଷରେ ସେ ନିଜ ମୋବାଇଲ୍ ଫୋନ୍ ଜରିଆରେ ଏକ ଭିଡିଓ ସୁଟ୍ କରିଥିଲେ। ଭିଡିଓରେ ସେ କହୁଛନ୍ତି, “ଆଜି ମୋ ପ୍ରେମିକଙ୍କ ଜନ୍ମଦିନ, ମୁଁ ତାଙ୍କୁ ସରପ୍ରାଇଜ୍ ଦେବାକୁ ଆସିଛି। ଦେଖିବା ତାଙ୍କର ରିଆକ୍ସନ କିଭଳି ରହୁଛି।” ପରବର୍ତ୍ତୀ ସମୟରେ ଏହି ଭିଡିଓରେ ଫିଲ୍ମି ଗୀତ ଯୋଡ଼ି ସେ ଏହାକୁ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିଲେ। ସୂଚନାଯୋଗ୍ୟ ଯେ, ତାରକେଶ୍ୱର ଏକ ନିଶାଦ୍ରବ୍ୟ କାରବାର ମାମଲାରେ ଜେଲ୍ରେ ଅଛନ୍ତି।
ଜେଲ୍ ପରିସର ମଧ୍ୟକୁ ମୋବାଇଲ୍ ନେବା ସମ୍ପୂର୍ଣ୍ଣ ନିଷେଧ ଥିବାବେଳେ ଯୁବତୀ ଜଣକ କିଭଳି ନିରାପଦରେ ଭିଡିଓ ସୁଟ୍ କଲେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାୟପୁର ଜେଲ୍ରୁ ଏଭଳି ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ମହମ୍ମଦ ରସିଦ ଅଲି ନାମକ ଜଣେ କଏଦୀ ଜେଲ୍ ଭିତରୁ ଜିମ୍ କରିବାର ଭିଡିଓ ଓ ସେଲଫି ପୋଷ୍ଟ କରିଥିଲେ। ସେହିପରି ଝାଡ଼ଖଣ୍ଡର ଗ୍ୟାଙ୍ଗଷ୍ଟର ଅମନ ସାଓ ମଧ୍ୟ ଜେଲ୍ ଭିତରେ ଫଟୋସୁଟ୍ କରିଥିବା ସାମ୍ନାକୁ ଆସିଥିଲା।
ଏହି ଭିଡିଓ ଭାଇରାଲ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଏଦୀ ଏବଂ ଜେଲ୍ କର୍ମଚାରୀଙ୍କ ମଧ୍ୟରେ ସଲାସୁତୁରା ଥିବା ନେଇ ଅଭିଯୋଗ ହେଉଛି। ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଜେଲ୍ କର୍ତ୍ତୃପକ୍ଷ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ଦେଇନାହାଁନ୍ତି।