ଆସ ଫେରିଯିବା ରେଡ଼ିଓ ଯୁଗକୁ ,ମୋବାଇଲକୁ ଟିକେ ଦୁରେଇ

ଧର୍ମଶାଳା,୨୬।୧୦(ଶିବପ୍ରସାଦ ମହାନ୍ତି): ଯାଜପୁରରେ ଧୁମ୍‌ ଧାମରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ଚାଲିଛି । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ବଡ଼ ବଡ଼ ତୋରଣ ସାଙ୍ଗକୁ ବିଭିନ୍ନ ରଙ୍ଗର ଲାଇଟ୍‌ରେ ଝଲୁସୁଛି ସହର। ପାଖାପାଖି ୪୬ଟି ମଣ୍ଡପରେ ପୂଜାଚର୍ନା ଚାଲିଥିବା ବେଳେ ନୂଆନୂଆ ରୂପରେ ମଣ୍ଡପ ଗୁଡ଼ିକୁ ସୁସଜ୍ଜିତ କରାଯାଇଛି। ସେଥି ମଧ୍ୟରୁ କିଆନାଲି ପୂଜାମଣ୍ଡପ ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି। ବଡ଼ ତୋରଣରେ ଏକ ରେଡ଼ିଓର ଚିତ୍ର କରାଯାଇଛି ସେଥିରେ ବଡ଼ ବଡ଼ ଅକ୍ଷର ରେ ଲେଖା ଯାଇଛି ” ଆସ ଫେରିଯିବା ରେଡ଼ିଓ ଯୁଗକୁ, ମୋବାଇଲକୁ ଟିକେ ଦୁରେଇ“ଯାହାକୁ ଦେଖିବା ପାଇଁ ଓ ଏହା ନିକଟରେ ଛିଡା ହୋଇ ଫଟୋ ଉଠାଇବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। କମିଟି ପକ୍ଷରୁ କୁହାଯାଇଛି ମୋବାଇଲର ଆବଶ୍ୟକତା ନିଶ୍ଚିତ ଭାବେ ରହିଛି ।କିନ୍ତୁ କିଛି ସମୟ ମୋବାଇଲରୁ ଦୁରେଇ ରହିବାର ମଧ୍ୟ ଆବଶ୍ୟକତା ରହିଛି। ମୋବାଇଲର ଆବଶ୍ୟକତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାର କୁପ୍ରଭାବ ମଧ୍ୟ ସେହି ହାରରେ ବଢ଼ି ଚାଲିଛି। ଆଧୁନିକ ଯୁଗରେ କିଛି ସମୟ ପାଇଁ ଏହା ଠାରୁ ଦୂରେଇ ରେଡ଼ିଓ ଯୁଗକୁ ଫେରିବା ପାଇଁ ଏକ ନିଆରା ପ୍ରୟାସ କରାଯାଇଛି।
ଏଭଳି ପ୍ରୟାସକୁ ମଧ୍ୟ ଅନେକ ଲୋକେ ପ୍ରଶଂସା କରିଛନ୍ତି।