କଟକ(କାର୍ତ୍ତିକ ସାହୁ)/ମଙ୍ଗୁଳି ଜଗତପୁର(ମାନସ ସାମଲ),୧୪ା୧: ଆମ ଓଡ଼ିଶାକୁ କେହି ପଛରେ ପକେଇପାରିବେ ନାହିଁ। ଇଂଲିଶ ଭାଷା ଜରିଆରେ ବ୍ରିଟିଶମାନେ ଭାରତୀୟଙ୍କୁ କଳା ବ୍ରିଟିଶ କରି ଦେଇଗଲେ। ଓଡ଼ିଆ ଭାଷାରେ କଥା ହେବା ଉଚିତ୍। ଏଥିରୁ କେହି ପଛଘୁଞ୍ଚା ଦେବା କଥା ନୁହେଁ। ଇଂଲିଶ ଭାଷା ନ ଜାଣି ପଠାଣି ସାମନ୍ତ ବାଉଁଶ ନଳିରୁ ତାରା ନକ୍ଷତ୍ର ଗଣିଥିଲେ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ସ୍ଥାନୀୟ ଭାଷାରେ ପାଠ ପଢ଼ାଇବା ଉଚିତ୍। ଆଗାମୀ ଦିନରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ଡାକ୍ତର ଓ ଇଞ୍ଜିନିୟର ଓଡ଼ିଆ ଭାଷାରେ ତିଆରି କରୁ। ନୂଆ ଓଡ଼ିଶା ନିର୍ମାଣର ପ୍ରୟୋଗଶାଳା ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ହେଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
କଟକ ଜିଲା ଟାଙ୍ଗୀଠାରେ ଅବସ୍ଥିତ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଯୋଗଦେଇ କହିଛନ୍ତି, ଓଡ଼ିଆ ଜାତିକୁ ଆଗକୁ ନେବାରେ ଏହି ବିଶ୍ୱବିଦ୍ୟାଳୟ ସହାୟକ ହେବ। ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ଜଣେ ଓଡ଼ିଆ ଛାତ୍ରୀ ବ୍ରିଟିଶ ପେଟ୍ରୋଲିୟମରେ କାର୍ଯ୍ୟ କରୁଛନ୍ତି। ବିଶ୍ୱସ୍ତରର ଛାତ୍ରୀଛାତ୍ର ସୃଷ୍ଟି କରିବାର ସାମର୍ଥ୍ୟ ରଖୁଛି ଡ୍ରିମ୍ସ ବିଶ୍ୱବିଦ୍ୟାଳୟ।
ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶ୍ୱବିଦ୍ୟାଳୟର ସହ ଅଧ୍ୟକ୍ଷ ଇଂ. ଦୁର୍ଗାପ୍ରସାଦ ରଥ, କୁଳପତି ପ୍ରଫେସର ଡ. ପ୍ରକାଶ କୁମାର ହୋତା, ରେଜିଷ୍ଟ୍ରାର ଡ. ଭକ୍ତ ଚରଣ ପ୍ରଧାନ, ଡେପୁଟି ରେଜିଷ୍ଟ୍ରାର ଇଂ. ଶିଶିର କୁମାର ସାହୁ, ବୋର୍ଡ ଅଫ୍ ଗଭର୍ନର ସଦସ୍ୟ ବିଧାୟକ ଛବି ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ପରିବାରର ଦାୟାଦ, ବିଶିଷ୍ଟ ଗାନ୍ଧିବାଦୀ, ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ନିମନ୍ତେ କୃଷ୍ଣା ମହାନ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏଥିସହିତ ୫୦୦ ଛାତ୍ରୀଛାତ୍ରଙ୍କୁ ଡିଗ୍ରୀ ପ୍ରମାଣପତ୍ର ଏବଂ ୧୦ ଜଣ ଟପ୍ପର ବିଦ୍ୟାର୍ଥୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।