ଲେମ୍ବୁପାଣିକୁ ଏକ ପ୍ରାକୃତିକ ଏବଂ ସତେଜ ପାନୀୟ ଭାବରେ ବିବେଚନା କରାଯାଏ, ଯାହା ଶରୀରକୁ ଅନେକ ଲାଭ ଦେଇଥାଏ। ଏଥିରେ ଭିଟାମିନ ସି’ ଭରପୂର, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ, ପାଚନ କ୍ରିୟା ଉନ୍ନତ କରେ ଏବଂ ଚର୍ମକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଲେମ୍ବୁପାଣି ମେଟାବୋଲିଜିମ ବୃଦ୍ଧି କରି ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ପ୍ରମାଣିତ ହୁଏ। ସକାଳେ ଲେମ୍ବୁପାଣି ପିଇବା ଦ୍ୱାରା ଶରୀରକୁ ହାଇଡ୍ରେସନ ମିଳିଥାଏ, ଯାହା ଥକ୍କାପଣ ହ୍ରାସ କରେ ଏବଂ ଶକ୍ତି ସ୍ତର ବୃଦ୍ଧି କରେ। ଏହା ଶରୀରକୁ ଦୀର୍ଘ ସମୟ ପାଇଁ ସୁସ୍ଥ ରଖେ।
ଲେମ୍ବୁପାଣିରେ ଅନେକ ପ୍ରକାର ଉପକାରୀ ତତ୍ତ୍ୱ ଭରି ରହିଛି। ଆମ ଶରୀରରେ ଇନ୍ଫେକଶନ ବା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଏହା କେତେକାଂଶରେ ସହାୟକ ହୋଇଥାଏ। ଏଥିରେ ଥିବା ଅଧିକ ଉପକାରୀ ଗୁଣ ଉପରେ ଓ୍ବାଶିଂଟନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ସର୍ଭେ କରି ଏକଥା ଜାଣିପାରିଛନ୍ତି। କେବଳ ସେତିକି ନୁହେଁ, ନିୟମିତ ଲେମ୍ବୁପାଣି ପିଇଲେ ତାହା ଆମ ପାଇଁ ଆଉ ଏକ ଉପକାର କରିଥାଏ। ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ପୂର୍ବାପେକ୍ଷା ଦୃଢ଼ ହୋଇଥାଏ ବୋଲି ଉକ୍ତ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ପାଣିରେ ଫ୍ଲାଭୋନୋଏଡ୍ ନାମକ ତତ୍ତ୍ୱ ରହିଛି। ଏହାଦ୍ୱାରା ପେଟରୋଗ ଆଶଙ୍କା କେତେକାଂଶରେ ଦୂର ହୋଇଥାଏ। ଆପଣ ଚର୍ବି ବୃଦ୍ଧିଜନିତ ସମସ୍ୟା ସହ ଜଡିତ କି? ଯଦି ହଁ, ତେବେ ଉଷୁମ ପାଣିରେ ଲେମ୍ବୁ ଏବଂ ଅଳ୍ପ ମହୁ ମିଶାଇ ପିଇଲେ ତାହା ଶରୀରରେ ଚର୍ବି ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ଲେମ୍ବୁ ପାଣି ଭିଟାମିନ୍ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ। ଏହାକୁ ପିଇଲେ ତାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ କ୍ଳାନ୍ତି ଦୂର କରିବାରେ ସହାୟକ ହୋଇଥାଏ।
ଯଦିଓ ଲେମ୍ବୁ ପାଣିର ଅନେକ ଲାଭ ଅଛି, ତଥାପି ସମସ୍ତଙ୍କ ପାଇଁ ଖାଲି ପେଟରେ ପିଇବା ଠିକ୍ ନୁହେଁ। ଲେମ୍ବୁରେ ଅଧିକ ପରିମାଣରେ ସାଇଟ୍ରିକ୍ ଏସିଡ୍ ଥାଏ, ଯାହା ଶରୀରର pH ସନ୍ତୁଳନକୁ ବିଗାଡ଼ିଥାଏ। ଅତ୍ୟଧିକ ଏସିଡିଟି ପେଟ ପୋଡ଼ିବା, ଏସିଡ୍ ରିଫ୍ଲକ୍ସ ଏବଂ ଗ୍ୟାସ୍ ସମସ୍ୟା ସୃଷ୍ଟି କରିପାରେ। ଏହା ଦାନ୍ତର ଏନାମେଲ୍କୁ ଦୁର୍ବଳ କରିପାରେ, ଯାହା ଦାନ୍ତ ସମ୍ବେଦନଶୀଳତା ଏବଂ ଖୋଳ ହେବାର ସମ୍ଭାବନା ବଢ଼ାଇଥାଏ। ତେଣୁ ସଠିକ୍ ଉପାୟରେ ଲେମ୍ବୁ ପାଣି ପିଇବା ଗୁରୁତ୍ୱପୂର୍ଣ୍ଣ।