ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ କରିଗଲାଣି। ଇରାନ୍‌ ସହିତ ଲାଗି ରହିଥିବା ଯୁଦ୍ଧର ବ୍ୟାପକ ରୂପ ସହିତ ସିଧାସଳଖ ପେଟ୍ରୋଲିୟମ୍‌ କାରବାର ଯୋଗୁ ଆଜି ସମଗ୍ର ପୃଥିବୀ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇସାରିଲାଣି। ଏଭଳି ସ୍ଥଳେ ଏସିଆ ମହାଦେଶର ଦୁଇ ପଡ଼ୋଶୀ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଜୋରଦାର ସଂଘର୍ଷ ଲାଗି ରହିଥିଲେ ମଧ୍ୟ ତାହା ବିଶ୍ୱ ନଜରରେ ଅଣଦେଖା ହୋଇରହିଛି। ଦେଖିବାକୁ ଗଲେ ଏହା ଅନ୍ୟ ଏକ ପୂର୍ଣ୍ଣକାଳୀନ ଯୁଦ୍ଧ ପାଇଁ ନିଅଁ ପକାଉଛି ବୋଲି ସାମ୍ପ୍ରତିକ ସ୍ଥିତିରୁ ବୁଝାପଡ଼ୁଛି। ପାକିସ୍ତାନ ୧୬ ମାର୍ଚ୍ଚ ରାତିରେ ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ଏକ ହସ୍ପିଟାଲ ଉପରେ ବିମାନ ଯୋଗେ ଆକ୍ରମଣ କରି ୪୦୦ ଲୋକଙ୍କୁ ମାରିଦେଇଥିବା ବେଳେ ୨୫୦ ଆହତ ହୋଇଥିବା ଖବର ମିଳିଛି। ଉପରୋକ୍ତ ଆକ୍ରମଣ ଫେବୃଆରୀ ୨୬ରୁ ପାକିସ୍ତାନ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେଶନ ଘଜାବ ଲିଲ୍‌ ହକ୍‌’ର ଅଂଶବିଶେଷ ବୋଲି କୁହାଯାଉଛି। କଠୋର ମୁସଲିମ୍‌ ଆଇନ ଅନୁସରଣ କରିବା, ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆଡ୍ଡା ଜରିଆରେ ହିଂସାକାଣ୍ଡ ଘଟାଉଥିବା ଦୁଇଟି ଦେଶ ମଧ୍ୟରେ କେଉଁ କାରଣ ଯୋଗୁ ସଦ୍ୟ ଦ୍ୱନ୍ଦ୍ୱ ଲାଗିରହିଛି, ତାହା ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ।
ଆଧୁନିକ ଇତିହାସକୁ ଦେଖିଲେ ପାକିସ୍ତାନ ଓ ଆଫଗାନିସ୍ତାନ କୌଣସି ଭାବେ ପୂର୍ଣ୍ଣକାଳୀନ ଯୁଦ୍ଧ କରିନାହାନ୍ତି। ସୀମାନ୍ତରେ ଛୋଟମୋଟ ସଂଘର୍ଷ ଦେଖାଦେଇ ଆସୁଥିବା ବେଳେ ୨୦୨୧ରେ ତାଲିବାନ୍‌ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଲଢ଼େଇ ତୀବ୍ର ହୋଇଛି। ଏହାର ମୂଳ କାରଣ ଉଭୟ ଦେଶ ମଧ୍ୟରେ ଟଣାଯାଇଥିବା ୨,୬୪୦ କିଲୋମିଟର ବିଶିଷ୍ଟ ଡୁରାଣ୍ଡ୍‌ ଲାଇନ୍‌। ୧୮୯୩ରେ ବ୍ରିଟିଶ୍‌ ଔପନିବେଶିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହା ଟଣାଯାଇଥିଲା। ପାକିସ୍ତାନ ଏହାକୁ ଅନ୍ତର୍ଜାତୀୟ ସୀମା ଭାବେ ସ୍ବୀକାର କରୁଥିବା ବେଳେ ଆଫଗାନିସ୍ତାନ ଏପରିକି ବର୍ତ୍ତମାନର ତାଲିବାନ୍‌ ସରକାର ଏହାକୁ ଗ୍ରହଣ କରୁନାହିଁ। ଆଫଗାନିସ୍ତାନ ଏହାକୁ ଏକ ଔପନିବେଶିକ ରେଖା ଭାବେ ଦେଖୁଛି, ଯାହା ପସ୍ତୁନ ସମ୍ପ୍ରଦାୟକୁ ବିଭାଜନ କରିଥାଏ। ଏଭଳି ଅସମ୍ମତି ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ଉସ୍‌କାଉଥିବା ବେଳେ ସ୍ଥଳବିଶେଷରେ ସାମରିକ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଘଟଣା ବଢ଼ିଯାଉଛି। ଇସ୍‌ଲାମାବାଦର ଅଭିଯୋଗ ହେଉଛି ଯେ, ଆଫଗାନିସ୍ତାନର ତାଲିବାନ୍‌ ସରକାର ଆତଙ୍କବାଦୀ ସଙ୍ଗଠନ ତେହେରିକ୍‌-ଇ-ତାଲିବାନ୍‌ ପାକିସ୍ତାନ (ଟିଟିପି)କୁ ସମର୍ଥନ କରି ପାକିସ୍ତାନ ଭିତରେ ବାରମ୍ବାର ଆକ୍ରମଣ କରୁଛି। ଏହିଭଳି ଦୋଷାରୋପ ଭାରତ ତରଫରୁ ପାକିସ୍ତାନ ବିରୋଧରେ ବାରମ୍ବାର ଶୁଣିବାକୁ ମିଳିଥାଏ। ଏଥିରୁ ବୁଝିବାକୁ ହେବ ଯେ, ଭାରତର ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ କୌଣସି ବୁଝାମଣା ହୋଇପାରୁ ନାହିଁ। ଗୋଟିଏ ପଟେ ଆଫଗାନିସ୍ତାନ ସହିତ ପାକିସ୍ତାନର ଯୁଦ୍ଧ ଚାଲିଥିବା ବେଳେ ପୂର୍ବରେ ମିଲିଟାରୀ ଶାସିତ ବର୍ମା ଅଶାନ୍ତ ରହିଛି। ଥାଇଲାଣ୍ଡର କାମ୍ବୋଡିଆ ସାଙ୍ଗରେ ସିଧାସଳଖ ଯୁଦ୍ଧ କୁହୁଳୁଛି। ଏଭଳି ପରିସ୍ଥିତିରେ ଭାରତରେ ଦେଖାଦେଉଥିବା ଶାନ୍ତି କେତେଦୂର ବଜାୟ ରହିବ କହିବା କଷ୍ଟକର। ଅନେକ ଭାରତୀୟ ସରକାରଙ୍କୁ ସମର୍ଥନ କରି କହୁଛନ୍ତି ଯେ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅର୍ଥାତ୍‌ ଦୁବାଇ, ଆବୁଧାବି, ସାର୍‌ଜାହ ଆଦି ସ୍ଥାନରେ ଯୁଦ୍ଧ ଲାଗିଥିବା ବେଳେ ଭାରତରେ ଆମେ ସୁରକ୍ଷିତ ରହିଛୁ। ଆଜିର ପୃଥିବୀରେ କୌଣସି ସ୍ଥାନ ଯୁଦ୍ଧମୁକ୍ତ ବା ଅଶାନ୍ତରହିତ ବୋଲି କହିବା ବୋକାମି। ଯେମିତି ଅର୍ଥନୈତିକ ସଙ୍କଟ ସମଗ୍ର ବିଶ୍ୱରେ ପ୍ରଭାବ ପକାଉଛି, ସେହିଭଳି ଭୂରାଜନୈତିକ ସ୍ଥିତିକୁ ଦେଖିଲେ କୌଣସି ଏକ ଭୂଖଣ୍ଡ ଅଶାନ୍ତ ରହିଥିଲେ ତାହାର ପ୍ରଭାବ ଅନ୍ୟ ଅଞ୍ଚଳ ଉପରେ ପଡ଼ିବାର ସମ୍ଭାବନା ରହିଛି। ଭାରତରେ ଆଜିର ସ୍ଥିତିକୁ ବଜାୟ ରଖିବାକୁ ହେଲେ ସାଧାରଣ ନାଗରିକଙ୍କ ସମେତ ସବୁ ରାଜ୍ୟର ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଏବଂ ସଚେତନ ହୋଇ ସର୍ବଦା ଚେଷ୍ଟିତ ରହିବାକୁ ହେବ। ନଚେତ୍‌ କେତେବେଳେ ଗୋଡ଼ ଖସିଯିବ ତାହାର ଭବିଷ୍ୟବାଣୀ କେହି କରିପାରିବେ ନାହିଁ।

 

Dharitri – Odisha’s No.1 Odia Daily