ଦିଗପହଣ୍ଡି,୨।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ସହଯୋଗ କ୍ରମେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଗତ ନଭେମ୍ବର ୨୩ ତାରିଖରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି।
ସାନଖେମୁଣ୍ଡି ବ୍ଲକ ସାତପେଣ୍ଠ ଗୋପାଳପୁର ଗ୍ରାମ ନୋଡାଲ ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ବିଶ୍ୱରଞ୍ଜନ ପ୍ରଧାନ ସମଗ୍ର ଗଞ୍ଜାମ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଶୁଭାଂଶି ପ୍ରିୟଦର୍ଶିନୀ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରତିଯୋଗିତାଟି କ୍ୟାଟେଗୋରୀ-୧ (ସପ୍ତମ ଓ ଅଷ୍ଟମ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନୀୟ ସିଭିଲ୍ କୋର୍ଟ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ହୋଇଥିଲା।
ପ୍ରତିଯୋଗିତାରେ ଶିଶୁମାନଙ୍କ ଅଧିକାର, ବାଲ୍ୟ ବିବାହ ନିରୋଧ, ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଏବଂ ଶିଶୁଙ୍କ ଉପରେ ସାମାଜିକ ଗଣମାଧ୍ୟମର କୁପ୍ରଭାବ ଭଳି ସାମାଜିକ ସଂସ୍କାର ଭିତ୍ତିକ ବିଷୟବସ୍ତୁ ଉପରେ ଚିତ୍ର ଆଙ୍କିବାକୁ କୁହାଯାଇଥିଲା।
ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟିର ଅଧ୍ୟକ୍ଷା ତଥା ସିଭିଲ୍ ସିନିୟର ଡିଭିଜନ କୋର୍ଟର ମାଜିଷ୍ଟ୍ରେଟ୍ ମହାଶ୍ୱେତା ପରିଜା ଏବଂ ଜେ.ଏମ୍.ଏଫ୍.ସି. କୋର୍ଟର ମାଜିଷ୍ଟ୍ରେଟ୍ ନିଳିମା ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମାନପତ୍ର ସହ ପୁରସ୍କୃତ କରାଯିବ ବୋଲି ଜଣାପଡିଛି।