ପୁଣେ,୧୮ା୧୨: ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି (ସ୍ମାଟ) ଟି୨୦ ଟୁର୍ନାମେଣ୍ଟ ଫାଇନାଲରେ ଖେଳି ନ ଥିଲେ। ଏ ନେଇ ଚହଲ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ଫାଇନାଲ ପୂର୍ବରୁ ନିଜ ରାଜ୍ୟ ହରିୟାଣା ଦଳକୁ ଶୁଭକାମନା ଜଣାଇବା ପାଇଁ ସେ ଏକ୍ସ’ରେ ପୋଷ୍ଟ କରିଥିଲେ ଯେ, ସ୍ମାଟ ଫାଇନାଲ ଲାଗି ହରିୟାଣା ଦଳକୁ ଶୁଭକାମନା। ସେମାନଙ୍କ ସହ ଖେଳିବା ପାଇଁ ମୋର ବି ଇଚ୍ଛା ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ମୁଁ ଏବେ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ। ଏଣୁ ଡାକ୍ତରମାନେ ମୋତେ ବିଶ୍ରାମ ଓ ରିକଭର ଉପରେ ଫୋକସ କରିବାକୁ ପରାମର୍ଶ ଦେଇଛନ୍ତି। ମୁଁ ଫିଲ୍ଡକୁ ଫେରିବି ଏବଂ ଦକ୍ଷତା ମୁତାବକ ବୋଲିଂ କରିବି।