ୱାଶିଂଟନ,୨୦।୩: ଇରାନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ନାଟୋ (NATO) ଦେଶଗୁଡ଼ିକ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’ରେ ଏକ ପୋଷ୍ଟ କରି ଟ୍ରମ୍ପ ସହଯୋଗୀ ଦେଶମାନଙ୍କୁ “କାପୁରୁଷ”ବୋଲି ସମ୍ବୋଧନ କରିଛନ୍ତି।
ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ଆମେରିକା ପ୍ରତିବର୍ଷ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରି ଏହି ଦେଶଗୁଡ଼ିକର ସୁରକ୍ଷା କରୁଛି, କିନ୍ତୁ ଯେତେବେଳେ ଆମେରିକାକୁ ସେମାନଙ୍କ ସାହାଯ୍ୟ ଦରକାର, ସେତେବେଳେ ସେମାନେ ପଛଘୁଞ୍ଚା ଦେଉଛନ୍ତି।
ଟ୍ରମ୍ପଙ୍କ ଅନୁଯାୟୀ,ହର୍ମୁଜ ପ୍ରଣାଳୀ ଏବେ ଇରାନ କବ୍ଜାରେ ଥିବାରୁ ବିଶ୍ୱରେ ତେଲ ଦର ବଢ଼ୁଛି। ଏହି ସାମୁଦ୍ରିକ ମାର୍ଗକୁ ମୁକ୍ତ କରିବା ଏକ ସହଜ ସାମରିକ ପଦକ୍ଷେପ, କିନ୍ତୁ ନାଟୋ ଦେଶଗୁଡ଼ିକ ଏଥିପାଇଁ ସାହସ ଜୁଟାଇ ପାରୁନାହାନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଯଦି ସହଯୋଗ ନ ମିଳେ, ତେବେ ନାଟୋର ଭବିଷ୍ୟତ ବିପଦରେ ପଡ଼ିପାରେ।
ଟ୍ରମ୍ପଙ୍କ ଏହି ଚାପ ସତ୍ତ୍ୱେ ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, ଇଟାଲୀ, ନେଦରଲ୍ୟାଣ୍ଡ, ଜାପାନ ଏବଂ କାନାଡା ଭଳି ୭ଟି ଦେଶ ଏକ ସଂଯୁକ୍ତ ବିବୃତି ଜାରି କରିଛନ୍ତି। ସେମାନଙ୍କର ସ୍ପଷ୍ଟ ମତ ହେଉଛି, ସାମୁଦ୍ରିକ ମାର୍ଗର ସୁରକ୍ଷା ପାଇଁ ସେମାନେ ପ୍ରସ୍ତୁତ, କିନ୍ତୁ ପ୍ରଥମେ ଯୁଦ୍ଧ ବନ୍ଦ ହେବା ଦରକାର।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି ଯେ, ୟୁରୋପୀୟ ଦେଶଗୁଡ଼ିକ ଏହି ଯୁଦ୍ଧରେ ସାମିଲ ହେବାକୁ ଚାହୁଁନାହାନ୍ତି। ଜର୍ମାନୀ ଚାନ୍ସେଲର ଫ୍ରେଡରିକ ମର୍ଜ କହିଛନ୍ତି ଯେ ଯୁଦ୍ଧ ଜାରି ରଖି କୌଣସି ପଦକ୍ଷେପ ନେବା ଆଦୌ ଉଚିତ ହେବନାହିଁ।
ଫେବୃଆରୀ ୨୮ରୁ ଆରମ୍ଭ ହୋଇଥିବା ଏହି ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ଜୀବନ ଗଲାଣି। ଲକ୍ଷ ଲକ୍ଷ ଲୋକ ଘର ଧ୍ୱଂସ ପାଇଥିବା ବେଳେ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି। ଟ୍ରମ୍ପଙ୍କ ମତରେ ହୋର୍ମୁଜ ପ୍ରଣାଳୀ ବନ୍ଦ ରହିବା ହିଁ ବିଶ୍ୱ ବଜାରରେ ମହଙ୍ଗା ମାଡ଼ର ମୁଖ୍ୟ କାରଣ।
Dharitri – Odisha’s No.1 Odia Daily