Categories: Home Leftଖେଳ

ପଏଣ୍ଟ ଭାଗକଲେ ଲେବାନନ-ମଙ୍ଗୋଲିଆ

ଭୁବନେଶ୍ୱର, ୧୩ା୬, (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଚତୁଃରାଷ୍ଟ୍ରୀୟ ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ଲେବାନନ-ମଙ୍ଗୋଲିଆ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି। ମ୍ୟାଚଟି ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ଫଳରେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଥିଲେ। ନିଜର ପ୍ରଥମ ମ୍ୟାଚରେ ଭାନୁଆଟୁକୁ ୩-୧ ଗୋଲରେ ହରାଇଥିବା ଲେବାନନ ୨ ମ୍ୟାଚରୁ ୪ ପଏଣ୍ଟ ସହିତ ଫାଇନାଲ ଦିଗରେ ଗୋଟିଏ ପାଦ ଅଗ୍ରସର ହୋଇଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ଭାରତ ନିକଟରୁ ୦-୨ରେ ହାରିଯାଇଥିବା ମଙ୍ଗୋଲିଆ ଏହି ମ୍ୟାଚରେ ପଏଣ୍ଟ ଖାତା ଖୋଲିଛି। ମଙ୍ଗୋଲିଆ ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ଗୁରୁବାର ଅପେକ୍ଷାକୃତ ଦୁର୍ବଳ ଭାନୁଆଟୁକୁ ଭେଟିବ। ତେଣୁ ଏହି ଦଳର ମଧ୍ୟ ଆଗକୁୁ ବଢ଼ିବା ସମ୍ଭାବନା ରହିଛି। କାରଣ ଲେବାନନ ଏହାର ଶେଷ ଲିଗ୍‌ ମ୍ୟାଚରେ ଶକ୍ତିଶାଳୀ ଭାରତକୁ ଭେଟିବ। ଘରୋଇ ପରିବେଶରେ ଭାରତ ଉତ୍ସାହୀ ପ୍ରଦର୍ଶନ କରୁଥିବାରୁ ଏହାକୁ ହରାଇବା ଲେବାନନ ପାଇଁ ସହଜ ହେବନାହିଁ। ଯଦି ଲେବାନନ ନିଜର ଶେଷ ମ୍ୟାଚରେ ହାରିଯାଏ ଏବଂ ମଙ୍ଗୋଲିଆ ବିଜୟୀ ହୁଏ ତେବେ ଉଭୟ ଦଳର ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚତ୍ବ। ଏ କ୍ଷେତ୍ରରେ ଗୋଲ ବ୍ୟବଧାନ ନିର୍ଣ୍ଣାୟକ ହେବ। ଦୁଇ ଦଳ ୨ଟି ଲେଖାଏ ମ୍ୟାଚ ଖେଳି ସାରିଥିବାବେଳେ ଲେବାନନର ଗୋଲ ବ୍ୟବଧାନ +୨ ଓ ମଙ୍ଗୋଲିଆର-୨ ରହିଛି। ତେଣୁ ଫାଇନାଲ ଖେଳିବା ସମ୍ଭାବନା ସୃଷ୍ଟି କରିବାକୁ ହେଲେ ମଙ୍ଗୋଲିଆକୁ ଏହାର ଅନ୍ତିମ ମ୍ୟାଚରେ ଭାନୁଆଟୁ ବିପକ୍ଷରେ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ।