ନୂଆପଡ଼ା,୧୮।୪(ମକାରୁ ବେମାଲ)-ନୂଆପଡ଼ା ଆଦର୍ଶ ଆବାସିକ ବିଦ୍ୟାଳୟର ୯ତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି, ଇଂରାଜୀ ଅଧ୍ୟାପକ ଲୋହିତାକ୍ଷ ଯୋଶୀ ମୁଖ୍ୟବକ୍ତା, ବୋଡେନ କଲେଜର ଇଂରାଜୀ ଅଧ୍ୟାପକ ସାମୁଏଲ ଦାନୀ ସମ୍ମାନିତ ବକ୍ତା ଓ ଜିଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ବିକେ ରଶ୍ମିତା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ବର୍ତ୍ତମାନ ସମୟରେ କିଛି ଅସମ୍ଭବ ନୁହେଁ। ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ। ସାଧନା ବିନା ସିଦ୍ଧି ଅସମ୍ଭବ। ବିଫଳତାରୁ ଶିଖିଲେ ନିଶ୍ଚିତ ଭାବେ ସଫଳତା ମିଳିବ ା ମାତାପିତା ହିଁ ସଫଳତାର ମୂଳ ଗୁରୁ ବୋଲି ଅତିଥିମ଼ାନେ ମତବ୍ୟକ୍ତ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହା ପରେ ବିଦ୍ୟାଳୟର ଛାତ୍ରୀଛାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷକ ଶିବାନନ୍ଦ ରାଉତରାୟ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରିୟଙ୍କା ସାହୁ, ସୁଜାତା ସ୍ବାଇଁ, ଭାରତୀ ରାଉତ, ଦିଲୀପ ମେହେର, ରେଣୁକା ସାହୁ ପ୍ରମୁଖ ସହଯୋଗ କରିଥିଲେ।