କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍ସି ନେତା ଲିଆଣ୍ଡର ପେସ ଦଳ ଛାଡ଼ି ଭାଜପାରେ ମିଶିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଭାଜପା କାର୍ଯ୍ୟାଳୟକୁ ଆସି କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଓ ସୁକାନ୍ତ ମଜୁମଦାରଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି।
ଲିଆଣ୍ଡର ପେସ ଅକ୍ଟୋବର ୨୦୨୧ରେ ଗୋଆରେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ସେ ସମ୍ପ୍ରତି କୋଲକାତାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଥିଲେ। ସେହି ବୈଠକ ପରଠାରୁ, ଭାଜପାକୁ ତାଙ୍କ ଯିବା ସମ୍ପର୍କରେ କଳ୍ପନାଜଳ୍ପନା ଜୋର ଧରିଥିଲା। ପଶ୍ଚିମବଙ୍ଗ ନିର୍ବଚନ ସମୟରେ ଭାଜପା ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରେ।
୨୦୨୦ରେ ବୃତ୍ତିଗତ ଟେନିସରୁ ଅବସର ନେବା ପରେ ଲିଆଣ୍ଡର ପେସ ରାଜନୀତିରେ ପ୍ରବେଶ କରିଥିଲେ। ସେ ଗୋଆ ନିର୍ବଚନ ପୂର୍ବରୁ ଟିଏମସିରେ ଯୋଗ ଦେଇଥିଲେ। ଗୋଆ ବିଧାନସଭା ନିର୍ବାଚନ ସମୟରେ ସେ ଟିଏମସି ପାଇଁ ପ୍ରଚାର କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ରାଜନୈତିକ ମଞ୍ଚରୁ ଅନୁପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ ଯେ, ଲିଆଣ୍ଡର ପେସ ଟେନିସ ଇତିହାସର ସର୍ବଶ୍ରେଷ୍ଠ ଡବଲ୍ସ ଖେଳାଳିଙ୍କ ମଧ୍ୟରୁ ଜଣେ ଭାବରେ ବିବେଚିତ। ମହେଶ ଭୂପତି ଏବଂ ମାର୍ଟିନା ନାଭରାତିଲୋଭାଙ୍କ ସହିତ ମିଶି, ସେ ଅନେକ ଗ୍ରାଣ୍ଡ ସ୍ଲାମ ଟାଇଟଲ ହାସଲ କରିଛନ୍ତି। ସେ ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ମଧ୍ୟ ଜିତିଥିଲେ। ଡେଭିସ କପ ଇତିହାସରେ ସର୍ବାଧିକ ଡବଲ୍ସ ମ୍ୟାଚ ଜିତିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ଅଛି। ତାଙ୍କ କ୍ୟାରିୟରରେ ୮ଟି ପୁରୁଷ ଡବଲ୍ସ ଏବଂ ଦଶଟି ମିଶ୍ରିତ ଡବଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ଅନ୍ତର୍ଭୁକ୍ତ। ଭାରତୀୟ କ୍ରୀଡ଼ାରେ ତାଙ୍କ ଅବଦାନକୁ ସ୍ବୀକୃତି ଦେବା ପାଇଁ, ପେସଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ, ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ଭଳି ସମ୍ମାନରେ ସମ୍ମାନିତ କରାଯାଇଛି।