ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ବ୍ରହ୍ମପୁର , ୨୩।୧୨( ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁର ବଡ଼ ବନ୍ଧ ସାହିରେ ସୋମବାର ରାତିରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି । ଏଥିରେ ପ୍ରଫୁଲ୍ଲ ରାଉତ ନାମକ ଜଣେ ଗୁରୁତର ହୋଇଛନ୍ତି। ସେହିପରି ପଡୋଶୀ, ଚାରୋଟି ଘରର କାନ୍ଥ ଭାଙ୍ଗିଛି। ଗୁରୁତରଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଏନେଇ ଥାନାରେ ଅଭିଯୋଗ ହୋଇନଥିବା ପୋଲିସ କହିଛି। ପ୍ରଫୁଲ୍ଲ ରାଉତ ଘରେ ଏକୁଟିଆ ଥିବା ସମୟରେ ରାତି ପ୍ରାୟ ୧୧ ଟା ସମୟରେ ଗ୍ୟାସରେ ଡାଲି ଗରମ କରୁଥିବା ବେଳେ ହଠାତ୍‌ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା । ଗ୍ୟାସ ସିଲିଣ୍ଡର ଫାଟିବା ଫଳରେ ଗୁରୁତର ଭାବେ ଆହତ ହୋଇଥିଲେ ପ୍ରଫୁଲ୍ଲ। ପ୍ରଫୁଲ୍ଲଙ୍କ ହାତ, ଗୋଡ଼ ସହ ଶରୀରର ବିଭିନ୍ନ ଅଙ୍ଗ କ୍ଷତ ହୋଇଥିଲା । ଗୁରୁତର ଅବସ୍ଥାରେ ପ୍ରଫୁଲ୍ଲଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ମେଡିକାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି । ତାଙ୍କ ଘର ଛାତ ଓ ଘର ଭିତରେ ଥିବା ବହୁ ଆସବାବପତ୍ର ନଷ୍ଟ ହୋଇଛି । ସେହିପରି ପ୍ରଫୁଲ୍ଲଙ୍କ ଘର ସମେତ ଚାରୋଟି ଘରର କାନ୍ଥ ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ବାସିନ୍ଦା ପ୍ରଫୁଲ୍ଲଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ ।

Dharitri – The Largest & Most Trusted Odia Daily