ଏନଇପି ୨୦୨୦ରେ ନେତୃତ୍ୱ ବିକାଶ ଯୋଜନା: ବେଙ୍ଗାଲୁରୁରେ ତାଲିମ ନେବେ ୨୦୦ ପ୍ରଧାନଶିକ୍ଷକ

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ)-ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଇତିମଧ୍ୟରେ ରାଜ୍ୟରେ ପ୍ରାଥମିକ ଶିକ୍ଷା ଏବଂ ଉଚ୍ଚ ଶିକ୍ଷାରେ ଲାଗୁ ହୋଇଛି। ତେଣୁ ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ କିଭଳି ହୋଇପାରିବ ସେଥିପାଇଁ ପ୍ରଥମେ ଶିକ୍ଷକମାନଙ୍କୁ ନେତୃତ୍ୱ ବିକାଶ ତାଲିମ ଦିଆଯାଉଛି। ରାଜ୍ୟର ୨୦୦ ପ୍ରଧାନଶିକ୍ଷକ ବେଙ୍ଗାଲୁରୁର ଅଜମୀ ପ୍ରେମଜି ବିଶ୍ୱବିଦ୍ୟାଳୟରେ ତାଲିମ ନେବେ। ଇତିମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, ପୁରୀ, କଟକ, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା , ଜଗତସିଂହପୁର ଜିଲାର ୪୬ ଜଣ ପ୍ରଧାନଶିକ୍ଷକ ତାଲିମ ନେଇ ଦୁଇଦିନ ପୂର୍ବେ ଓଡ଼ିଶା ଫେରିଛନ୍ତି। ଗତ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସେମାନେ ତାଲିମ ନେଇଥିଲେ । ବଳକା ଶିକ୍ଷକଙ୍କୁ ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ପଠାଇବେ। ବର୍ତ୍ତମାନ ଗଞ୍ଜାମ ଜିଲାରୁ ୧୦ ଜଣ ପ୍ରଧାନଶିକ୍ଷକ ତାଲିମ ନେଇ ସୋମବାର ଫେରିଛନ୍ତି। ସେଥିମଧ୍ୟରୁ ଭଞ୍ଜନଗର ବ୍ଲକ ଗୁରାବଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ଅନ୍ୟତମ।