ଦାରିଙ୍ଗବାଡି,୧୭।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡ଼ା ପଞ୍ଚାୟତ କୁଟଲାରିଗାଁର ସୁନାଝିଅ ଲକ୍ଷ୍ମୀପ୍ରିୟା ମଲ୍ଲିକ ପାଇଛନ୍ତି ବଡ଼ ସଫଳତା। ସେ ପିଏଚ୍ଡି ହାସଲ କରି ଦାରିଙ୍ଗବାଡି ସମେତ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସୂଚନାଯୋଗ୍ୟ, ସ୍ବର୍ଗତ ପିତା ଡୁ଼ପୀ ମଲ୍ଲିକ ଏବଂ ମା’ ଡାକାଲୁ ମଲ୍ଲିକଙ୍କ କନିଷ୍ଠ କନ୍ୟା ହେଉଛନ୍ତି ଲଷ୍ମୀପ୍ରିୟା । ସେ ପିଲାଟି ଦିନରୁ ଭଲ ପଢ଼ୁଥିଲେ ମଧ୍ୟ ପ୍ରାଥମିକ ଶିକ୍ଷା ପାଇଁ ଆର୍ଥିକ ଅନାଟନ ପରିସ୍ଥିତି ସୃଷ୍ଟି ହେଉଥିଲା। ତାହାକୁ ଏଡାଇ ସେ ଆଜି ସଫଳତା ପାଇଛନ୍ତି। ଗାଁ ନିକଟ ସାଙ୍ଗଡ଼ମାହା ବିଦ୍ୟାଳୟରେହିଁ ପ୍ରଥମରୁ ପଞ୍ଚମ ପାଠ ପଢ଼ା ଆରମ୍ଭ କରିଥିଲେ ପରେ ଅଧିକା ଶିକ୍ଷା ପାଇଁ ବାଲିଗୁଡା ବ୍ଲକ ବଡ଼ଗାଁ କନ୍ୟା ଆଶ୍ରମରେ ଷଷ୍ଠରୁ ଦଶମ ପଢ଼ିଥିଲେ। ଉଚ୍ଚ ଶିକ୍ଷପାଇଁ ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟରେ ଯୁକ୍ତଦୁଇ ଏବଂ ପରେ ଭୁବନେଶ୍ୱରରେ କିସ୍ ବିଶବିଦ୍ୟାଳୟରେ ସେ ଡିଗ୍ରୀଠାରୁ ପିଏଚଡି ପର୍ଯ୍ୟନ୍ତ ଅଧ୍ୟୟନକୁ ଜାରି ରଖିଲେ ।
ସେ ବିଂଶ ଶତାବ୍ଦୀର ଓଡ଼ିଆ ଉପନ୍ୟାସରେ ଜନଜାତି ଜୀବନର ଚିତ୍ର ଏକ ଅନୁଶୀଳନ ବିଷୟ ଉପରେ ଗବେଷଣା କରି ଏହି ସଫଳତା ହାସଲ କରିଥିଲେ। ସେ ଗବେଷଣା କାର୍ଯ୍ୟ କିସ୍ର ଓଡ଼ିଆ ବିଭାଗର ଆସୋସିଏଟ ପ୍ରଫେସର ଡ଼କ୍ଟର ରଶ୍ମିତା ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ସମାପ୍ତ କରିଥିଲେ। ଗବେଷଣା ନିବନ୍ଧର ପରୀକ୍ଷକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଏବଂ ପ୍ରଫେସର ବିଜୟ କୁମାର ଶତପଥୀ କିସ୍ ବିଶବିଦ୍ୟାଳୟ ଉପସ୍ଥିତ ଥିଲେ। ଡକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକଙ୍କ ସନ୍ଧର୍ଭଟି ସମ୍ବଲପୁର ବିଶ୍ବବଦ୍ୟାଳୟ ଜୋତି ବିହାରର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ନାକୁ ହାଁସଦା ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ଡକ୍ଟର ମଣୀନ୍ଦ୍ର କୁମାର ମେହେରଙ୍କ ଦାରା ପରିକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା।
ତାଙ୍କର ଏହି ସଫଳତା ଦୁର୍ଗମ କୁଟଲାରୀ ଗ୍ରାମ ପାଇଁ ଗର୍ବ ଓ ଗୌରବ ଆଣିଥିବା କୁଟଲାରୀ ଗ୍ରାମର ଶିକ୍ଷାବିତ ବିଜୟ ମଲିକ କହିଛନ୍ତି । ଲକ୍ଷ୍ମୀପ୍ରିୟା ମଲ୍ଲିକ ନିଜ ଗବେଷଣାର ସଫଳତା ପାଇଁ କିସ୍ର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ ଏବଂ ନିଜ ଗାଇଡ ଡ଼କ୍ଟର ରଶ୍ମିତା ତ୍ରିପାଠୀ ମାଡାମଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏବେ ଲଷ୍ମୀପ୍ରିୟାଙ୍କୁ ଚାରିଆଡୁ ଶୁଭେଚ୍ଛାର ବାର୍ତ୍ତା ଆସୁଥିବା ବେଳେ ଲଷ୍ମୀପ୍ରିୟାଙ୍କ ସଫଳତା ପାଇଁ ଅଞ୍ଚଳରେ ଆଲୋଚନା ଜୋର ଧରିଛ। ଲଷ୍ମୀପ୍ରିୟା ଉକ୍ତ ବ୍ଲକ ସୋନପୁର ପଞ୍ଚାୟତ ସତୁଙ୍ଗିଆ ଗ୍ରାମର ଉଦୟ ପ୍ରଧାନଙ୍କୁ ବିବାହ କରିଛନ୍ତି। ତାଙ୍କ ଶ୍ୱଶୁର ଘର ଲୋକଙ୍କ ସମେତ ସେହି ଗ୍ରାମରେ ମଧ୍ୟ ସୁନା ବୋହୂ ଲଷ୍ମୀପ୍ରିୟାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।
Dharitri – Odisha’s No.1, Most Trusted Odia Daily