ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ୪ ଦିନବ୍ୟାପୀ ଚାଲିଥିବା ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୁରୁବାର ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଉଦ୍ଯାପିତ ହୋଇଯାଇଛି। ପ୍ରତ୍ୟୁଷରେ ବିଜୟ ପଦ୍ମନାଭପୁର ଲାଡି ଗାଁର ମୁଖ୍ୟ ପୁରୋହିତ ପ୍ରସନ୍ନ ଦାସ ଶର୍ମାଙ୍କ ପୌରୋହିତ୍ୟରେ କର୍ତ୍ତା ଭାବେ ଡା.ଏମ୍.ନାଗେଶ୍ୱର, ତାଙ୍କ ସହଧର୍ମିଣୀ ଏମ୍.ଚନ୍ଦ୍ରକଳା ଓ ମେଡ଼ିମି ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୁରୋହିତ ରବି କୁମାର ଶର୍ମା, ଜ୍ୟୋତିରାଜ ଦାସ, ପଣ୍ଡିତ ଡ.ସୁଧାଂଶୁ ଶେଖର ଶର୍ମା, ହୃଷୀକେଶ କର, ହିମାଂଶୁ କୁମାର ଦାସ, ଜିତେନ୍ଦ୍ର କୁମାର ଦାସଙ୍କ ତତ୍ତ୍ୱାବଧାନରେ ସୂର୍ଯ୍ୟପୂଜା, ଶାଲାଙ୍ଗ ପୂଜା ପ୍ରଭୃତି ସମସ୍ତ ଦେବ ନୀତି ସମ୍ପାଦନ କରିବା ପରେ ମଧ୍ୟାହ୍ନରେ ମହାଯଜ୍ଞ ପୂର୍ଣ୍ଣାହୁତି ସହ ୧୬ ପ୍ରହର ନାମ ସଙ୍କୀର୍ତ୍ତନ ସମାପନ କରାଯାଇଥିଲା। ଅପରାହ୍ନରେ ଶ୍ରୀ ଲକ୍ଷ୍ମୀନୃସିଂହ ଠାକୁରଙ୍କୁ ସୁସଜ୍ଜିତ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରୀ ଲକ୍ଷ୍ମୀନୃସିଂହଙ୍କ ବିଗ୍ରହକୁ ସିଂହାସନରେ ସ୍ଥାପନ କରାଯାଇଥିଲା।