ଚଣ୍ଡିଗଡ଼,୫।୧୧: ପଞ୍ଜାବରେ କବାଡି ଖେଳାଳିଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ଗତକାଲି ବିଳମ୍ବିତ ରାତିରେ ଲୁଧିଆନା ଜିଲାର ସମରାଲା ବ୍ଲକ ଅନ୍ତର୍ଗତ ମାନକି ଗାଁରେ ଆଉ ଏକ ବଡ଼ ଘଟଣା ଘଟିଛି, ଯେଉଁଠାରେ ୨୩ ବର୍ଷୀୟ କବାଡି ଖେଳାଳି ଗୁରବିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ଚାରି ଜଣ ମୁଖାପିନ୍ଧା ଆକ୍ରମଣକାରୀ ଏକ ମୋଟରସାଇକେଲରେ ଆସି ଗୁରବିନ୍ଦର ଏବଂ ତାଙ୍କ ବନ୍ଧୁଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ।
ଘଟଣା ସମୟରେ, ଗୁରବିନ୍ଦର ତାଙ୍କ ବନ୍ଧୁ ଧରମବୀର ଏବଂ ଲଭପ୍ରୀତ ସିଂହଙ୍କ ସହିତ ଗାଁ ମେଡିକାଲ ଷ୍ଟୋର ନିକଟରେ ଏକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରୁଥିଲେ। ଆକ୍ରମଣକାରୀମାନେ ହଠାତ ଉପସ୍ଥିତ ହୋଇ ବିନା ଚେତାବନୀରେ ଗୁଳି ଚଳାଇଥିଲେ। ଘଟଣାସ୍ଥଳରୁ ଅନେକ ଖାଲି କାର୍ଟ୍ରିଜ ଉଦ୍ଧାର କରାଯାଇଛି।
କୁଖ୍ୟାତ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛି। ଗ୍ୟାଙ୍ଗ ସଦସ୍ୟ ହରି ବକ୍ସର ଏବଂ ଆରଜୁ ବିଷ୍ନୋଇ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଘଟଣା ପାଁ ଗ୍ୟାଙ୍ଗକୁ ଦାୟୀ କରିଛନ୍ତି। ପୂର୍ବରୁ, ଅକ୍ଟୋବର ୩୧ରେ, ଲୁଧିଆନାରେ କବାଡି ଖେଳାଳି ତେଜପାଲଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।
Dharitri – The Largest & Most Trusted Odia Daily