କୋଲକାତା,୨୪।୮: କୋଲକାତାର ସାଉଥ କଲିକତା ଲ କଲେଜରେ ହୋଇଥିବା ବଳାତ୍କାର ମାମଲାରେ ଦାଖଲ ହୋଇଥିବା ୬୫୦ ପୃଷ୍ଠାର ଚାର୍ଜଶିଟରୁ ଜଣାପଡ଼ିଛି ଯେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ପୀଡ଼ିତାଙ୍କର ଏକାଧିକ ଅଶ୍ଳୀଳ ଭିଡିଓ ରେକର୍ଡ କରି ତାଙ୍କୁ ବ୍ଲାକମେଲ କରୁଥିଲେ। ପୋଲିସ ଜାଣିବାକୁ ପାଇଛି ଯେ ପୀଡ଼ିତାଙ୍କ ମେଡିକାଲ ପରୀକ୍ଷାରେ ବଳାତ୍କାରର ପୁଷ୍ଟି ହୋଇଛି ଏବଂ ଅଭିଯୁକ୍ତଙ୍କ ଡିଏନଏ ଫରେନସିକ ନମୁନା ସହ ମେଳ ଖାଇଛି।
ଜୁନ ୨୫ରେ ଏହି ଘଟଣା କଲେଜ କ୍ୟାମ୍ପସରେ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର, କଲେଜର ପୂର୍ବତନ ଛାତ୍ର ତଥା ଅନ୍ୟ ଅଭିଯୁକ୍ତ ଜୈବ ଆହମଦ ଓ ପ୍ରମୀତ ମୁଖାର୍ଜୀ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଚାର୍ଜଶିଟରେ ଚାରି ଅଭିଯୁକ୍ତଙ୍କ ନାମ ରହିଛି—ମନୋଜିତ, ଜୈବ, ପ୍ରମୀତ ଓ ସୁରକ୍ଷାକର୍ମୀ ପିନାକୀ ବାନାର୍ଜୀ।
ପୋଲିସ ଏକ ସିସିଟିଭି ଫୁଟେଜ ଉଦ୍ଧାର କରିଛି, ଯେଉଁଥିରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଟାଣି ନେଉଥିବା ଦେଖାଯାଇଛି। ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲରୁ ପୀଡ଼ିତାଙ୍କର ଅନେକ ଅଶ୍ଳୀଳ ଭିଡିଓ ମିଳିଛି, ଯାହା କୋଠରୀର ଝରକା ଛିଦ୍ର ଦେଇ ରେକର୍ଡ କରାଯାଇଥିଲା। ଭିଡିଓରେ ଅଭିଯୁକ୍ତଙ୍କ ସ୍ୱର ରହିଛି, ଯାହା ସ୍ୱର ନମୁନା ସହ ମେଳ ଖାଇଛି। ଅଭିଯୁକ୍ତଙ୍କ ମୋବାଇଲ ଲୋକେସନ ମଧ୍ୟ ଅପରାଧ ସ୍ଥଳରେ ଥିବା ଜଣାପଡ଼ିଛି।
ଚାର୍ଜଶିଟ ଅନୁସାରେ, ସୁରକ୍ଷାକର୍ମୀ ପିନାକୀ ଘଟଣା ସମ୍ପର୍କରେ ପୋଲିସ କିମ୍ବା ନିକଟସ୍ଥ କାହାକୁ ନ ଜଣାଇ ଗାର୍ଡ ରୁମକୁ ତାଲା ମାରି ରଖିଥିଲେ, ଯେଉଁଥିପାଇଁ ତାଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି।
ମନୋଜିତ ମିଶ୍ର ଏହି ଘଟଣା ପୂର୍ବରୁ ଆଠ ଥର ଗିରଫ ହୋଇଥିଲେ, କିନ୍ତୁ ତାଙ୍କ ବନ୍ଧୁମାନେ ତାଙ୍କୁ ଜାମିନରେ ଛଡ଼ାଇ ନେଇଥିଲେ। ୨୦୨୪ରୁ କଲେଜରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିବା ମନୋଜିତଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତ ଜୈବ ଓ ପ୍ରମୀତ, ଯେଉଁମାନେ କଲେଜର ଛାତ୍ର ଥିଲେ, ସେମାନଙ୍କୁ ମଧ୍ୟ ବହିଷ୍କାର କରାଯାଇଛି।