ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକାଶପଥକୁ ମୁହଁାଉଛି। ରାସ୍ତା ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଭାବେ ଡ୍ରେନ ନିର୍ମାଣ ହେଉଛି। ସେହିପରି ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ନୂତନ ସୁପର ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। କେବଳ ସେତିକି ନୁହେଁ, ନୂଆ ସରକାର ଆସିବା ପରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି ମହୋତ୍ସବକୁ ମିଳୁଥିବା ସରକାରୀ ଅନୁଦାନ ୧୦ ଲକ୍ଷ ଟଙ୍କାରୁ ଦେଢ଼ କୋଟିକୁ ବୃଦ୍ଧି ପାଇଛି। ପ୍ରଥମଥର ପାଇଁ ଧନୁଯାତ୍ରା କଳାକାରଙ୍କୁ ମଧ୍ୟ ୧୦ ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ମିଳୁଛି। ସେହିପରି ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ ନିର୍ମାଣ ହେବ ଏବଂ ତାହା ମଧ୍ୟ ଧନୁଯାତ୍ରା ଇତିହାସରେ ପ୍ରଥମ। ତେବେ ବିକାଶପଥରେ ବରଗଡ଼ ସହର ଏଭଳି ଆଗେଇ ଚାଲୁଥିବାବେଳେ ସହରରେ ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ଗତ କିଛିଦିନ ତଳେ ସ୍ଥାନୀୟ ଟାଉନ ଥାନାଠାରୁ ଅନତିଦୂରରେ ରହିଥିବା ହାଟପଦାରେ ଭୁଜାଲି ମାଡ଼ରେ ଡବଲ୍ ମର୍ଡର ହୋଇଥିଲା। ଏହାପରେ ବିଭିନ୍ନ ସମ୍ବେଦନଶୀଳ ଜାଗାରେ ପୋଲିସ ମୁତୟନ ହୋଇଥିବାବେଳେ ପୋଲିସ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ ମଧ୍ୟ ହୋଇଛି। ତଥାପି ସହରକୁ ଶାନ୍ତି ଫେରି ନାହିଁ। ଅନ୍ୟପଟେ ଡବଲ ମର୍ଡର ହୋଇଥିବା ସେହି ହାଟପଦାରେ ବୁଧବାର ସକାଳେ ଛୁରାମାଡ଼ ହୋଇଛି। ଦାଦାବଟି ଦେବା ପାଇଁ ମନା କରିବାରୁ ୨ ଦୁର୍ବୃତ୍ତ ଛୁରାମାଡ଼ କରି ସ୍ଥାନୀୟ ନବକୁମାର ଡାଙ୍ଗଙ୍କୁ ଆକ୍ରମଣ କରିବାରୁ ସେ ଆହତ ହୋଇଛନ୍ତି। ଏ ନେଇ ସେ ଥାନାରେ ଏତଲା ଦେବା ପରେ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ଏଭଳି ସ୍ଥିତିରେ ସୁଧାର ଆଣିବା ପାଇଁ କିଛିଦିନ ତଳେ ଜିଲା ଓକିଲ ସଂଘ ଏକ ବିଶାଳ ଶୋଭାଯାତ୍ରାରେ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା। ମାତ୍ର ଏପର୍ଯ୍ୟନ୍ତ କିଛି ସୁଫଳ ନ ମିଳିବାରୁ ବୁଧବାର ପୁଣି ବରଗଡ଼ ଜିଲା ଓକିଲ ସଂଘ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ (ଆରଡିସି) ଏବଂ ପୋଲିସ ଉପନିର୍ଦ୍ଦେଶକ(ଆଇଜି)ଙ୍କୁ ଭେଟି ବରଗଡ଼ରେ ଭୁଶୁଡ଼ି ପଡ଼ିଥିବା ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଦୃଷ୍ଟି ଆକର୍ଷଣ କରିବା ସହିତ ତ୍ୱରିତ୍ ପଦକ୍ଷେପ ନେବାକୁ ଦାବି କରିଛି।
ପୋଲିସର ତପତ୍ରତା ଦେଖାଯାଉନି
ବରଗଡ଼ ସହରରେ ଯେଭଳି ଆଇନଶୃଙ୍ଖଳା ସ୍ଥିତି ଉପୁଜୁଛି, ସେଥିପ୍ରତି ପୋଲିସର ଆଶାନୁରୂପ ତପତ୍ରତା ପରିଲକ୍ଷିତ ହେଉନାହିଁ। ହାଟପଦାରେ ଡବଲ ମର୍ଡର ଭଳି ଅପରାଧ ଘଟିବା ପରେ ସେଠାରେ ପୋଲିସ ମୁତୟନ ଅଛନ୍ତି। ଏହାସତ୍ତ୍ୱେ ଛୁରାମାଡ଼ ହେଉଛି। ଏଥିରୁ ସହରରେ ଆଇନଶୃଙ୍ଖଳା ରକ୍ଷା ଦିଗରେ ପୋଲିସ ସମ୍ପୂର୍ଣ୍ଣ ଢିଲା ରହିଛି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ।
-ଶିବାନନ୍ଦ ମଟାରୀ, ସାମାଜିକ କର୍ମୀ, ବରଗଡ଼
କଠୋର ନିଷ୍ପତ୍ତି ନେବାର ସମୟ ଆସିଛି
ବରଗଡ଼ରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନୂଆ ନୁହେଁ। ଦୀର୍ଘଦିନରୁ ଏହା ଏଠାରେ ହୁଗୁଳା ହୋଇ ପଡ଼ିଛି। ବିଧାୟକ ନିର୍ବାଚିତ ହେବା ପରେ ପ୍ରଥମେ ମୁଁ ଏ ସମ୍ପର୍କରେ ଜିଲା ପୋଲିସ, ପ୍ରଶାସନ ସହିତ ବୈଠକ କରିଥିଲି। ନିଶା କାରବାର ରୋକିବା ସହିତ ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲି। ଏବେ ମଧ୍ୟ ସେ ନେଇ ତାଗିଦା କରିଆସୁଛି। ତେବେ ଆଇନଶୃଙ୍ଖଳାକୁ ନେଇ ଦୋଷାରୋପ କରିବା ବଦଳରେ ବର୍ତ୍ତମାନ କଠୋର ନିଷ୍ପତ୍ତି ନେବାର ସମୟ ଆସିଛି। ସହରର ସମସ୍ତ ବୁଦ୍ଧିଜୀବୀ, ସଚେତନ ନାଗରିକ, ଓକିଲ ସଂଘ ସମେତ ବିଭିନ୍ନ ସଂଗଠନ ଏକତ୍ରିତ ହୋଇ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଯଦି ଲଢ଼ିବେ, ତେବେ ସମସ୍ତ ଅପରାଧୀ ଚୁପ୍ ହୋଇଯିବେ।
-ଅଶ୍ୱିନୀ କୁମାର ଷଡ଼ଙ୍ଗୀ,ବିଧାୟକ, ବରଗଡ଼
ବଡ଼ବଡ଼ ମୁଣ୍ଡକୁ ଧରାଯାଉ
ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଦିନକୁଦିନ ଏଠାରେ ଅପରାଧୀ ସକ୍ରିୟ ହୋଇ ପଡ଼ିଛନ୍ତି। ଦିନ ଦ୍ୱିପ୍ରହରରେ ଅପରାଧ ଚାଲିଛି। ଥାନାଠାରୁ ଅନତିଦୂର ତଥା ଜନଗହଳି ସ୍ଥାନରେ ଡବଲ ମର୍ଡର ଭଳି ଅପରାଧ ଘଟୁଛି। କଫ୍ ସିରପ୍, ବ୍ରାଉନସୁଗାର ଭଳି ନିଶା କାରବାରରୁ ଏଭଳି ଅପରାଧ ଘଟୁଥିବା ମନେହେଉଛି। ତେବେ ପୋଲିସ ବିଭିନ୍ନ ସମୟରେ କଫ୍ ସିରପ୍, ବ୍ରାଉନସୁଗାର କାରବାରରେ କିଛି ଅଭିଯୁକ୍ତଙ୍କୁ ଧରୁଛି। ମାତ୍ର କିଙ୍ଗ୍ପିନ୍ମାନେ ଖସି ଯାଉଛନ୍ତି। ଏଭଳି ଅପରାଧର ପରଦା ପଛରେ ରହିଥିବା ବଡ଼ ବଡ଼ ମୁଣ୍ଡମାନଙ୍କୁ ଧରାଯାଉ। ଏହାହେଲେ ଯାଇ ଶାନ୍ତିପ୍ରିୟ ବରଗଡ଼ର ଲୋକେ ସୁରକ୍ଷିତ ରହିପାରିବେ।
-ଭୀଷ୍ମଦେବ ସରାଫ୍, ସଭାପତି, ଜିଲା ଓକିଲ ସଂଘ, ବରଗଡ଼