ହିଞ୍ଜିଳିକାଟୁ, ୧୭।୬(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋପାଳପୁର ବେଳାଭୂମିରେ ବଳାତ୍କାର ଘଟଣାରେ ଅଭିଯୁକ୍ତ ମାନେ ହିଞ୍ଜିଳି ଥାନା ଅଞ୍ଚଳର ଜଣା ପଡ଼ିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଘଟଣା ପରେ ଏବେ ଥାନା ସାମ୍ନାରେ ଥିବା ଜଣେ ଭାଜପା ନେତା ଓ ତାଙ୍କ ଭାଇଙ୍କ ଘରେ ସୋମବାର ରାତିରେ ଏକ ବଡ଼ ଧରଣର ଚୋରି ଘଟିଛି। କେବଳ ସେତିକି ନୁହେଁ ହିଞ୍ଜିଳିକାଟୁ ନିକଟ ସୋମପୁରଠାରେ ପୋଲିସ ବିଭାଗରେ କାର୍ଯ୍ୟରୁ ଅବସର ନେଇଥିବା ଜଣେ ବ୍ୟକ୍ତି ଓ ତାଙ୍କ ପଡ଼ୋଶୀ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ଘରେ ପଶି ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି। ଅସାମାଜିକ କାର୍ଯ୍ୟକଳାପ ସହ ଆଇନଶୃଙ୍ଖଳା ପରିସ୍ଥିତିରେ ଚରମ ଅବନତି ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ସମ୍ମୁଖ ଭାଜପା ନଗର ଉପସଭାପତି ଇ ଅନ୍ତର୍ଯ୍ୟାମୀ ପାତ୍ର ଓ ତାଙ୍କ ସାନ ଭାଇ ଇ ନାରାୟଣ ପାତ୍ର ଘର ବାରିପଟରୁ ଚୋର ଘର ଭିତରେ ପଶିଥିଲେ। ନାରାୟଣଙ୍କ ଘରର ଆଲମିରା ଖୋଲି ପ୍ରାୟ ୧୬ ଭରି ଓଜନର ସୁନା ଅଳଙ୍କାର, ରୁପା ଅଳଙ୍କାର, କ୍ୟାମେରା, ମୋବାଇଲ ଫୋନ ଲୁଟି ନେଇଥିଲେ । ଅନ୍ୟ ପକ୍ଷରେ ଭାଜପା ନେତା ଅନ୍ତର୍ଯ୍ୟାମୀଙ୍କ ଘରୁ ମଧ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୂର୍ବରୁ ଚୋରି ଘରର ପଛରେ ଥିବା ପାର୍କ ଓ ମନ୍ଦିର ମଧ୍ୟରେ ରାତିରେ ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଥିବା ଓ ଅଘଟଣ ଘଟିବା ସମ୍ଭାବନା ଥିବା ନେଇ ପୋଲିସକୁ ବଡ ଭାଇ ଇ ରାମ ପ୍ରସାଦ ପାତ୍ର ଜଣାଇଥିଲେ। ତେବେ ଏହାର ପ୍ରତିକାର ପାଇଁ ହିଞ୍ଜିଳି ପୋଲିସ କୌଣସି ଆନ୍ତରିକତା ଦେଖାଇ ନାହାନ୍ତି ବୋଲି ଘଟଣା ପରେ ରାମ ପ୍ରସାଦ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ସୋମପୁର ଗ୍ରାମର ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଓ ତାଙ୍କ ପଡୋଶୀ ଘରୁ ଲୁଟେରା ଗ୍ୟାଙ୍ଗ ୫୮ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିଥିବା ଅଭିଯୋଗ ହୋଇଛି। ଅନ୍ୟ ୨ ଘରୁ ଚୋରି ପାଇଁ ମଧ୍ୟ ଲୁଟେରା ମାନେ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନାହାନ୍ତି।
ସକାଳୁ ଘଟଣା ନେଇ ଜାଣିବା ପରେ ହିଞ୍ଜିଳି ପୋଲିସ ଘଟଣାସ୍ଥଳ ଗୁଡିକରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି, ରାହାଜାନୀ, ଗୁଣ୍ଡାଗର୍ଦ୍ଦି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ଅଞ୍ଚଳରେ ବୃଦ୍ଧି ପାଉଥିଲେ ମଧ୍ୟ ନା ସ୍ଥାନୀୟ ପୋଲିସ ନା ଉପରିସ୍ଥ ଅଧିକାରୀଙ୍କ ଏଥିପାଇଁ ନିଘା ନାହିଁ। ଏହାକୁ ନେଇ ହିଞ୍ଜିଳିଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।