ଛତ୍ରପୁର, ୨୬।୬(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହା ବିରୁଦ୍ଧରେ ବାମ, ଗଣତାନ୍ତ୍ରିକ ରାଜନୈତିକ ଦଳ ତରଫରୁ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିସହ ଅପରାଧ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବା ସହ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସୂଚନାଥାଉ କି, ଗତ ଦୁଇ ସପ୍ତାହ ମଧ୍ୟରେ ଗଞ୍ଜାମ ଜିଲାରେ ଗୋପାଳପୁର ଗଣବଳାତ୍କାର ଓ ଧରାକୋଟ ଦଳିତ ନିର୍ଯାତନା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ରାଜ୍ୟ ସରକାର କର୍ପୋରେଟରଙ୍କ ସେବାରେ ବ୍ୟସ୍ତ ଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳାର ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି । ବାରମ୍ବାର ଅପରାଧ ସଂଗଠିତ ହେବାଦ୍ୱାରା ଅପରାଧୀଙ୍କ ଆଇନ ପ୍ରତି ଡର ନ ଥିବାପ୍ରମାଣିତ କରୁଛି। ଏସବୁ ଘଟଣା ଯୋଗୁ ଗଞ୍ଜାମ ରାଜ୍ୟ ସହ ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ପରିସ୍ଥିତି ଏଭଳି ଯେ ଆର୍ନ୍ତଜାତିକ ସ୍ତରରେ ଓଡ଼ିଶା ବଦନାମ ହୋଇଥିବା କୁହାଯାଇଛି । ପୂର୍ବରୁ ଜିଲାର ବିଭିନ୍ନ ସ୍ଥାନରେ ଆର୍.ଏସ୍.ଏସ୍. ସମର୍ଥିତ ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ଓ ଭାଜପାର ସମର୍ଥକମାନଙ୍କ ଦ୍ବାରା ଗୋସୁରକ୍ଷା ନାମରେ ଗାଇ, ଗୋରୁ ନେଉଥିବା ଦଳିତ ସଂପ୍ରଦାୟର ଛୋଟ ଛୋଟ ଗାଇଗୋରୁ ବ୍ୟବସାୟ ଓ ଚାଷୀଙ୍କ ଉପରେ ଏହି ଶକ୍ତିମାନେ ଲଗାତର ଆକ୍ରମଣ ଓ ବଳପୂର୍ବକ ଅର୍ଥ ଆଦାୟ କରୁଥିଲେ ମଧ୍ୟ ଧରାକୋଟ ଘଟଣା ସବୁଠାରୁ ବଳି ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।