ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ ମୃତାହତ ହେଉଛନ୍ତି। ସୋମବାର ରାତି ପ୍ରାୟ ୯ଟା ସମୟରେ ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଛୁରାମାଡରେ ଜଣେ ଲୋକଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ପଣ୍ଡରୀପଥର ନିବାସୀ ଉଦୟନାଥ ସୁନା। ମୃତକଙ୍କ ଶବକୁ ବରଗଡ଼ ଡାକ୍ତରଖାନାର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ। ପୋଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ଜବତ ସହିତ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ଶୌଚାଳୟ ନିକଟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା। ଏହାପରେ ଦୁର୍ବୃତ୍ତମାନେ ଛୁରାମାଡ କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ମୃତକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରକାଶ ଥାଉକି, ଗତ କିଛିଦିନ ତଳେ ବରଗଫ ଟାଉନ ଥାନା ସମ୍ମୁଖ ହାଟପଦାରେ ଭୁଜାଲି ଆକ୍ରମଣ ଯୋଗୁ ୨ଜଣଙ୍କ ଜୀବନ ଚାଲି ଯାଇଥିବାବେଳେ ଶନିବାର ସ୍ପଷ୍ଟ ଦିବାଲୋକରେ ସହର ଉପକଣ୍ଠ ଘୁଲିପାଲି ଛକରେ ଜଣେ ଟ୍ରକ ଚାଳକଙ୍କୁ ଛୁରାମାଡ ହୋଇଥିଲା। ତେଣୁ ଏହା ଲୋକଙ୍କ ଆଖିରୁ ଲିଭି ନ ଥିବାବେଳେ ସହରର କେନ୍ଦ୍ରସ୍ଥଳୀରେ ପୁଣି ହତ୍ୟାକାଣ୍ଡ ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି । କଫ ସିରପ, ନିଶା ବଟିକା, ବ୍ରାଉନ ସୁଗର ଭଳି ନିଶା କାରବାର ଯୋଗୁ ଏଭଳି ଅପରାଧ ବଢି ଚାଲିଥିବା ବରଗଡ଼ ସହରବାସୀ ଅଭିଯୋଗ କରିଛନ୍ତି। ପୋଲିସ ମଧ୍ୟ ବିଭିନ୍ନ ସମୟରେ ଏଭଳି ନିଶାଦ୍ରବ୍ୟ ଜବତ ସହିତ ଅଭିଯୁକ୍ତଙ୍କୁ ଗିରଫ କରୁଛି। କିନ୍ତୁ ସହର ମଧ୍ୟରେ କଥାକଥାକୁ ଛୁରାମାଡରୁ ହତ୍ୟାକାଣ୍ଡ ଭଳି ଅପରାଧ ବଢି ଚାଲିବା ପୋଲିସର କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି ବୋଲି ସବୁଠି ଆଲୋଚିତ ହେଉଛି।

 

Dharitri – Odisha’s No.1 Odia Daily

 

Share