ନୂଆଦିଲ୍ଲୀ,୨୪ା୧୧: ଇଥିଓପିଆରେ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ଯୋଗୁ ପାଉଁଶର ବାଦଲ ପୂର୍ବ ଦିଗକୁ ମାଡ଼ିଆସିବା ସହ ଉତ୍ତର ଭାରତରେ ପହଞ୍ଚିଲାଣି ଫଳରେ ବହୁ ସଂଖ୍ୟାରେ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ପାଉଁଶ ଆସ୍ତରଣଜନିତ ସମ୍ଭାବ୍ୟ ପ୍ରତିବନ୍ଧକର ମୁକାବିଲା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଭରତୀୟ ଏୟାରଲାଇନ୍ସ ଓ ବିମାନବନ୍ଦର ନିମନ୍ତେ ଆଡଭାଇଜରି ଜାରି କରିଛି।
ଇଥିଓପିଆର ହେଲି ଗୁବ୍ବି ଆଗ୍ନେୟଗିରିରୁ ୧୨,୦୦୦ ବର୍ଷ ପରେ ପ୍ରଥମ ଥର ପାଇଁ ରବିବାର ଲାଭା ଉଦ୍ଗିରଣ ହୋଇଥିଲା। ଏହାର ବହଳ ଧୂଆଁ ଲୋହିତସାଗର ଉପର ଦେଇ ୟେମେନ ଏବଂ ଓମାନ ଦିଗରେ ଗତି କରିବା ସହ ଉତ୍ତର ଆରବ ସାଗର ଉପରେ ମାଡ଼ି ଚାଲିଛି।
ରାଜସ୍ଥାନ ଓ ହରିୟାଣାର କେତେକ ଭାଗରେ ଏହି ଧୂଆଁ ପହଞ୍ଚିବା ସହ ଦିଲ୍ଲୀକୁ ଆଚ୍ଛାଦିତ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦିଲ୍ଲୀ ଓ ଉତ୍ତରପ୍ରଦେଶର ବାୟୁକୁ ଏହା ଆହୁରି ପ୍ରଦୂଷିତ କରିପାରେ। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଆକାଶ ଏୟାର, ଇଣ୍ଡିଗୋ ଏବଂ କେଏଲ୍ଏମ୍ ଆଦି ଏୟାରଲାଇନ୍ସ କେତେକ ବିମାନ ଉଡ଼ାଣକୁ ବାତିଲ କରିଦେଇଛନ୍ତି।