ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ସହଯୋଗୀ ସାଜିବ ସହଯୋଗ। ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସରଙ୍କୁ ସରକାରୀ ଯୋଜନାଗୁଡ଼ିକ ସହ ଯୋଡ଼ିବାର ଅନନ୍ୟ ପ୍ରୟାସ ରାଜ୍ୟରେ ଶୁଭାରମ୍ଭ ହୋଇଛି। ଏହାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ଶୁଭାରମ୍ଭ କରିଥିଲେ। ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ୮ଟି ଜିଲାର ପୈାରାଞ୍ଚଳରେ ଘରକୁ ଘର ସର୍ଭେ କରାଯିବ। ଗଞ୍ଜାମ, କଟକ, କେନ୍ଦୁଝର, ଖୋର୍ଦ୍ଧା , ମୟୂରଭଞ୍ଜ, ସମ୍ବଲପୁର,ସୁନ୍ଦରଗଡ଼ ଓ ଭଦ୍ରକ ଜିଲାର ରହିଛି । ଏହି ସର୍ଭେରେ ୧୩ଟି ଯୋଜନାରେ ବଞ୍ଚିତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ପଞ୍ଜିକୃତ କରାଯିବ। ମେ ଓ ଜୁନ୍ ଏହି ଦୁଇ ମାସ ଧରି ସର୍ଭେ କାର୍ଯ୍ୟ କରାଯିବ। ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଆର୍ଥିକ ଅନଗ୍ରସରଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି। ଏହାକୁ ସୁନିଶ୍ଚିତ କରିବାରେ ‘ସହଯୋଗ’ ସହାୟକ ହେବ।
୧୩ଟି ଯୋଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ଇ.ଶ୍ରମ ପୋର୍ଟାଲ ପଞ୍ଜୀକରଣ, ସୁକନ୍ୟା ସମୃଦ୍ଧି ଯୋଜନା, ବିଶ୍ୱକର୍ମା ଯୋଜନା, ଆୟୁଷ୍ମାନ ଭାରତ, ଶ୍ରମ କାର୍ଡ, ଭିନ୍ନକ୍ଷମ ପ୍ରମାଣପତ୍ର, ସୁଭଦ୍ରା ଯୋଜନା, ରାଶନକାର୍ଡ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଗରିମା ଓ ଉଜ୍ଜ୍ୱଳା ଯୋଜନା ରହିଛି। ଏନେଇ ଜିଲାସ୍ତରୀୟ ଏକ କମିଟି ଗଠନ କରାଯିବ। ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ଏହି ସହଯୋଗ । ଏହି ଅବସରରେ ଛତ୍ରପୁରସ୍ଥିତ ଓସଓ୍ବାନ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଡୁଡା ପିଡି ଦେବଦତ୍ତ ପଣ୍ଡା, ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,ଉପାଧ୍ୟକ୍ଷ ଜି.ପାପା ରାଓ, ଏନ୍ଏସି ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।