CHRISTCHURCH, NEW ZEALAND - MARCH 23: Tom Latham of New Zealand scores a century during game two of the One Day International series between New Zealand and Bangladesh at Hagley Oval on March 23, 2021 in Christchurch, New Zealand. (Photo by Peter Meecham/Getty Images)
ଖ୍ରୀଷ୍ଟଚର୍ଚ୍ଚ,୨୪।୩: ଅଧିନାୟକ ତଥା ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍ ଲାଥମଙ୍କ ପଞ୍ଚମ ଦିନିକିଆ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ବାଂଲାଦେଶକୁ ୫ ଉଇକେଟରେ ପରାସ୍ତ କରିଛି। ସ୍ଥାନୀୟ ହଗ୍ଲି ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ଅଧିନାୟକ ତଥା ଓପନର ତାମିମ ଇକବାଲଙ୍କ ଅର୍ଦ୍ଧଶତକ ସହ ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ହରାଇ ୨୭୧ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୮.୨ ଓଭରରେ ୫ ଉଇକେଟ ହରାଇ ୨୭୫ ରନ କରି ସହଜରେ ବିଜୟ ହାସଲ କରିଛି। ଏଥିସହିତ ନ୍ୟୁଜିଲାଣ୍ଡ ୨-୦ରେ ଅଗ୍ରଣୀ ହେବା ସହ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜକୁ ଆଗୁଆ ହାତେଇ ନେଇଛି। ଅପରାଜିତ ୧୧୦ ରନର ଶତକୀୟ ଇନିଂସ ଖେଳିଥିତ୍ବା ଲାଥମ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଶୁକ୍ରବାର ଖେଳାଯିବ।
୨୭୨ ରନ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ୫୩ ରନରେ ୩ ଉଇକେଟ ହରାଇଥିଲା। ଓପନର ମାର୍ଟିନ ଗୁପ୍ଟିଲ୍ ୨୦, ହେନେରୀ ନିକୋଲ୍ସ ୧୩, ଓ୍ବିଲି ୟଙ୍ଗ୍ ମାତ୍ର ୧ ରନକରି ଆଉଟ ହୋଇଥିଲେ। ଏହାପରେ ଚତୁର୍ଥ ଉଇକେଟରେ ଲାଥମ ଓ ଡେଭନ କନଓ୍ବେ ୧୧୩ ରନର ଶତକୀୟ ଭାଗୀଦାରି ସ୍ଥାପନ କରି ସ୍ଥିତି ସମ୍ଭାଳିଥିଲେ। କନ୍ଓ୍ବେ ୭୨ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ ହୋଇଥିଲେ। ପଞ୍ଚମ ଉଇକେଟରେ ଜେମ୍ସ ନିଶାମ ଓ ଲାଥମ ୭୨ ବଲରୁ ୭୬ ରନ ସଂଗ୍ରହ କରିଥିଲେ। ନିଶାମ ୩୦ ରନକରି ଆଉଟ ହୋଇଥିଲେ। ଲାଥମ ୧୦୮ ବଲ୍ ଖେଳି ୧୦ ଚୌକା ସହ ୧୧୦ ରନ ଓ ଡାରିଲ ମିଚେଲ ୧୨ ରନକରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ବାଂଲାଦେଶ ତରଫରୁ ମୁସ୍ତାଫିଜୁର ରହମାନ ଓ ମାହେଦି ହାସନ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ତରଫରୁ ତାମିମ ସର୍ବାଧିକ ୭୮ ରନକରି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟ ସରକାର ୩୨, ମୁସ୍ଫିକର ରହିମ ୩୪, ମହମୁଦୁଲ୍ଲା ୧୬ ରନକରି ଆଉଟ ହୋଇଥିବା ବେଳେ ମହମ୍ମଦ ମିଥୁନ ୭୩ ରନକରି ଅପରାଜିତ ରହିଥିଲେ। ଲିଟନ ଦାସ ଖାତା ଖୋଲିପାରି ନ ଥିବା ବେଳେ ମାହେଦି ହାସନ ୭ ରନକରି ଆଉଟ ହୋଇଥିଲେ ଓ ମହମ୍ମଦ ସୈଫୁଦ୍ଦିନ ୭ ରନକରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ତରଫରୁ ବୋଲିଂରେ ମିଚେଲ ସାଣ୍ଟନର ୨, ଟ୍ରେଣ୍ଟ ବୋଲ୍ଟ, ମ୍ୟାନ ହେନେରି ଓ କାଏଲ ଜେମିସନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ୫୦ ଓଭରରେ ୨୭୧/୬
(ତାମିମ- ୭୮, ମିଥୁନ- ୭୩*, ମୁସ୍ଫିକର- ୩୪, ସୌମ୍ୟ- ୩୨, ମହମୁଦୁଲ୍ଲା- ୧୬, ସଣ୍ଟନର- ୨/୫୧, ବୋଲ୍ଟ- ୧/୪୯, ହେନରି- ୧/୪୮, ଜେମିସନ- ୧/୩୬)।
ନ୍ୟୁଜିଲାଣ୍ଡ ୪୮.୨ ଓଭରରେ ୨୭୫/୫
(ଲାଥମ- ୧୧୦*, କନଓ୍ବେ- ୭୨, ନିଶାମ- ୩୦, ଗୁପ୍ଟିଲ- ୨୦, ମୁସ୍ତାଫିଜୁର- ୨/୬୨, ମାହେଦି ହାସନ- ୨/ ୪୨)।