ପୁଣେ,୨୯।୧: ବୁଧବାର ଦିନ ମହାରାଷ୍ଟ୍ରର ବାରାମତିରେ ପ୍ଲେନ କ୍ରାଶ ହୋଇଥିଲା । ମହାରାଷ୍ଚ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସମେତ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ପ୍ଲେନ କ୍ରାଶର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଅନେକ ବିଷୟକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ଥିବା ଦୁଇ ଜଣ କକପିଟ୍ କ୍ରୁ ଦୁର୍ଘଟଣାର କିଛି ସମୟ ପୂର୍ବରୁ ‘ଓଃ ସିଟ୍… ଓଃ ସିଟ୍’ କହିଥିଲେ ।
ସକାଳ ପ୍ରାୟ ୮ଟା୪୫ ସମୟରେ ଦିଲ୍ଲୀ-ଭିଏସଆର ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ଏକ ଲିଅରଜେଟ୍ ୪୫ ବିମାନ ବାରାମତି ଟେବୁଲ-ଟପ୍ ଏୟାରଷ୍ଟ୍ରିପରେ ଅବତରଣ କରିବାର ଦ୍ୱିତୀୟ ପ୍ରୟାସ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ୬୬ ବର୍ଷୀୟ ପାୱାର, ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଏବଂ ପରିଚାରିକା ଏବଂ ଦୁଇ ଜଣ କକପିଟ୍ କ୍ରୁ, ପାଇଲଟ୍-ଇନ୍-କମାଣ୍ଡ ସୁମିତ କପୁର ଏବଂ ପ୍ରଥମ ଅଧିକାରୀ ଶାମ୍ଭବୀ ପାଠକଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା।
ଘଟଣାକ୍ରମ ବିଷୟରେ ବର୍ଣ୍ଣନା କରି, ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ (DGCA)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ “କ୍ରୁଙ୍କଠାରୁ ଶୁଣିବାକୁ ମିଳିଥିବା ଶେଷ ଶବ୍ଦଗୁଡ଼ିକ ଥିଲା ‘ଓଃ ସିଟ୍… ଓଃ ସିଟ୍’ । ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ର ଏକ ବିଶେଷଜ୍ଞ ଦଳ ବୁଧବାର ସନ୍ଧ୍ୟାରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଏହି ଦୁଃଖଦ ଦୁର୍ଘଟଣାର ଫୋରେନସିକ୍ ତଦନ୍ତ ଆରମ୍ଭ କରିଥିଲେ।
ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ, ବିମାନର ମୁଖ୍ୟ ପାଇଲଟ୍ ସୁମିତ କପୁର ଦୁର୍ଘଟଣା ପୂର୍ବରୁ ମେଡେ କଲ୍ କରିନଥିଲେ । କିନ୍ତୁ କ୍ୟାପ୍ଟେନ୍ ସମ୍ଭାବୀ ପାଠକ ଦୁର୍ଘଟଣା ପୂର୍ବରୁ ଏହି ଦୁଇଟି ଶବ୍ଦ କହିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ରନୱେ ସହିତ ଧକ୍କା ହେବା ମାତ୍ରେ ବିମାନଟି ବିସ୍ଫୋରଣ ହୋଇଥିଲା । ତେବେ ସ୍ଥାନୀୟ ଲୋକେ ପହଞ୍ଚିବା ବେଳେ ଭୟଙ୍କର ନିଆଁ ସହ ଧୂଆଁମୟ ହୋଇଯାଇଥିଲା । ଗାଁ ଲୋକେ ବିମାନର ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁ ଏତେ ତୀବ୍ର ଥିଲା ଯେ ସେମାନେ ସାହାଯ୍ୟ କରିପାରିନଥିଲେ ।