ନୂଆଦିଲ୍ଲୀ,୫ା୯(ପି.ଟି.):ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟଗୁଡ଼ିକରେ ଅଭୂତପୂର୍ବ ଭୂସ୍ଖଳନ ଏବଂ ବନ୍ୟା ପାଇଁ ବେଆଇନ ଗଛକଟା ଦାୟୀ। ଅବାଧରେ ଗଛକଟା ଜାରି ରହିଥିବାରୁ ଏଭଳି ବିପର୍ଯ୍ୟୟ ଆସିଥିବା କହି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍ଡିଏମ୍ଏ) ଓ ପ୍ରଭାବିତ ରାଜ୍ୟଗୁଡ଼ିକ ଜବାବ ମାଗିଛନ୍ତି।
ଭାରତର ପ୍ରଧାନ ବିଚାରପତି (ସିଜେଆଇ) ବି.ଆର୍. ଗବଇଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ସମେତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ଓ ପଞ୍ଜାବ ସରକାରଙ୍କୁ ଏନେଇ ନୋଟିସ ଜାରି କରିଛନ୍ତି। ସିଜେଆଇ ଗବଇ କହିଛନ୍ତି, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ପଞ୍ଜାବରେ ଆମେ ଅଭୂତପୂର୍ବ ଭୂସ୍ଖଳନ ଏବଂ ବନ୍ୟା ଦେଖିଛୁ। ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ, ବହୁ ସଂଖ୍ୟକ ଗଛ କଟାଯାଇଛି। ପ୍ରଥମ ଦୃଷ୍ଟିରୁ ଦେଖିଲେ ଏହା ବେଆଇନ ଗଛକଟା ବୋଲି ଜାଣିହେଉଛି।
ଆବେଦନକାରୀ ଅନାମିକା ରାଣାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆକାଶ ବଶିଷ୍ଠ ଓ ଶୁଭମ୍ ଉପାଧ୍ୟାୟଙ୍କୁ ଖଣ୍ଡପୀଠ କେନ୍ଦ୍ରୀୟ ଏଜେନ୍ସିକୁ ନୋଟିସ ତଥା ପିଟିଶନ୍ କପି ଦେବାକୁ ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟ ଏକ ମାମଲାରେ କୋର୍ଟରୁମ୍ରେ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ସିଜେଆଇ କହିଛନ୍ତି, ବନ୍ୟା ଓ ଭୂସ୍ଖଳନର ଗମ୍ଭୀର ସ୍ଥିତିକୁ ଅନୁଧ୍ୟାନ କରି ପ୍ରତିକାରମୂଳକ ପଦକ୍ଷେପ ନେବାକୁ ନିଶ୍ଚିତ କରନ୍ତୁ। ଏହା ଏକ ଗମ୍ଭୀର ପ୍ରସଙ୍ଗ। ବହୁ ସଂଖ୍ୟକ ଗଛକୁ ବେଆଇନ ଭାବେ କଟାଯାଉଛି। ପଞ୍ଜାବର ଚିତ୍ର ଦେଖିଲେ ଚାରିଆଡ଼େ ବନ୍ୟାଜଳରେ ଚାଷଜମି ଓ ଫସଲ ବୁଡ଼ିଯାଇଛି। ବିକାଶକୁ ପ୍ରତିକାର ପଦକ୍ଷେପ ସହ ସନ୍ତୁଳିତ କରିବାକୁ ପଡ଼ିବ ବୋଲି ସିଜେଆଇ କହିଛନ୍ତି। ମେହେଟ୍ଟା କହିଛନ୍ତି, ପ୍ରକୃତି ଉପରେ ଆମେ ଏତେ ହସ୍ତକ୍ଷେପ କରିଛୁ ଯେ, ପ୍ରକୃତି ଏବେ ନିଜ କୋପ ଦେଖାଇବା ଆରମ୍ଭ କରିଛି। ଏନେଇ ସେ ପରିବେଶ ମନ୍ତ୍ରଣାଳୟ ସଚିବଙ୍କ ସହ ଆଲୋଚନା କରିବେ। ପରିବେଶ ମନ୍ତ୍ରଣାଳୟ ସଚିବ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କ ସହ କଥାହେବେ। ଏଭଳି ସ୍ଥିତି ବଜାୟ ରହିବାକୁ ଦିଆଯାଇପାରିବ ନାହିଁ। ଏହା ଶୁଣିବା ପରେ ଆବେଦନକାରୀଙ୍କ ଓକିଲ କହିଥିଲେ, ଟନେଲଗୁଡ଼ିକରେ ଲୋକେ ଫସିରହି ମୃତ୍ୟୁ ସ୍ଥିତିର ନିକଟତର ହୋଇଥିବାର ଅନେକ ଦୃଷ୍ଟାନ୍ତ ରହିଛି। ସିଜେଆଇ କହିଥିଲେ, ଏହି ପ୍ରସଙ୍ଗର ଗମ୍ଭୀରତାକୁ ସେ ଦେଖିଛନ୍ତି। ୨ ସପ୍ତାହ ପରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।
ଉଲ୍ଲେଖଯୋଗ୍ୟ, ଭୂସ୍ଖଳନ ଓ ବନ୍ୟାର କାରଣ ଖୋଜିବା ସହ ଏଭଳି ବିପର୍ଯ୍ୟୟକୁ ଏଡ଼ାଇବା ପାଇଁ ପଦକ୍ଷେପ ନେବା ସକାଶେ କାର୍ଯ୍ୟ ଯୋଜନା ପ୍ରସ୍ତୁତି ସାଙ୍ଗକୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରାଯାଉ ବୋଲି ଆଇନଜୀବୀ ଆକାଶ ବଶିଷ୍ଠଙ୍କ ଜରିଆରେ ଆବେଦନକାରୀ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକର ବିପର୍ଯ୍ୟୟ କର୍ତ୍ତୃପକ୍ଷ ଥିବା ସତ୍ତ୍ୱେ ସେମାନେ ଏଭଳି ବିପର୍ଯ୍ୟୟଜନିତ କ୍ଷୟକ୍ଷତି ରୋକିବା ପାଇଁ କୌଣସି ଯୋଜନା କରି ନ ଥିବା ସେ ଉକ୍ତ ପିଟିଶନରେ ଦର୍ଶାଇଛନ୍ତି। ବୃହତ୍ ସ୍ବାର୍ଥ ଦୃଷ୍ଟିରୁ ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ଜୀବନଧାରଣ ଅଧିକାରକୁ ସୁନିଶ୍ଚିତ କରି ହିମାଳୟ ପାଦଦେଶରେ ଅବସ୍ଥିତ ରାଜ୍ୟଗୁଡ଼ିକର ବାସିନ୍ଦାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏଥିରେ ନିବେଦନ କରାଯାଇଛି।